ଆତ୍ମାର ଝଡ଼

 

 

 

 

 

 

 

 

 

 

 

ଆତ୍ମାର ଝଡ଼

ଶ୍ରୀ ନବକିଶୋର ଦାସ

 

ବହି ଆରମ୍ଭ

 

ପ୍ରାଚୀନ ଭାରତରେ ମଣିଷ-ଜୀବନ ଚାରୋଟି ‘ଆଶ୍ରମ’ରେ ବିଭକ୍ତ ହୋଇଥିଲା । ଗୃହସ୍ଥ ଆଶ୍ରମ ପରେ ଗୃହୀ ଉଚ୍ଚତର ଆଧ୍ୟାତ୍ମିକ ଜୀବନଯାପନ ପାଇଁ ‘ବାନପ୍ରସ୍ଥ’ ଓ ଯତିବ୍ରତ ଆଶ୍ରମକୁ ଗତି କରି ଯାଉଥିଲେ । ଏହି ‘ଆଶ୍ରମ’ ବିଭାଗ ଏକ କୃତ୍ରିମବିଭାଗ କି ମଣିଷ ମନ ସହିତ ଏହାର କୌଣସି ପ୍ରାକୃତିକ ସମ୍ପର୍କ ଅଛି, ତାହା ବିଚାରିବା ଆମର ଉଚିତ । ପ୍ରାଚୀନ ଭାରତର ସେହି ‘ଆଶ୍ରମ’ର ନାମ ଓ ନିୟମ ଆମ୍ଭେମାନେ ମାନୁ ବା ନାହିଁ, ମଣିଷଜୀବନରେ ଏପରି ବିଭିନ୍ନ ସ୍ତର ଦେଖାଯାଏ, ଯେତେବେଳେ ମଣିଷ ଜୀବନକୁ ମାନସିକ ଗତି ଓ ଅବସ୍ଥା ଦୃଷ୍ଟିରୁ କେତେଗୁଡ଼ିଏ ବିଭାଗରେ ବିଭକ୍ତ କରାଯାଇପାରେ । ତେଣୁ ସେହିପରି ଜଣେ ‘ଗୃହସ୍ଥ’ର ମାନସିକ ଅବସ୍ଥାରେ ଯେଉଁ ପରିବର୍ତ୍ତନ ଆସେ, ପ୍ରୌଢ଼ତ୍ଵ ମଧ୍ୟରେ ତାହାରି ଏକ ମାନସିକ ଚିତ୍ର ଏହି ଗପରେ ଚିତ୍ର କରାଯାଇଅଛି ।

 

ମଣିଷ ମନ ମଧ୍ୟରେ ଗୋଟିଏ ରାତିରେ ଯେଉଁ ଝଡ଼ ବହିଥିଲା, ତାହାରି ନିଖୁଣ ଛବି ଏ ‘ଆତ୍ମାର ଝଡ଼’ ।

 

ହୁଏତ ଗପଟି ଅନ୍ୟ ଏକ ବୃହତ୍ତର ଉପନ୍ୟାସର ଅଂଶ ହୋଇଯାଇପାରେ । ମାତ୍ର ଏହା ଏକ ସ୍ଵତନ୍ତ୍ର ଗପ ଭାବରେ ଆନନ୍ଦ ଦେବା ଭାବି ଛପାଗଲା । ବହିର ପରିକଳ୍ପନା ଓ ଚରିତ୍ରସବୁ ପୂର୍ଣ୍ଣ କାଳ୍ପନିକ । ଏହି ଗପଟିର ନାଁ ଦେବାରେ ଏକ କୌତୁକିଆ କଥା ଅଛି । ଗପର ନାଁ ଦେଇଚି ଲେଖକର ପାଞ୍ଚବର୍ଷିଆ ଝିଅ ‘ମଧୁଛନ୍ଦା’ । ପ୍ରଥମ ଅଧ୍ୟାୟ ଲେଖା ସରି ଘରେ ପଢ଼ାଗଲା ପରେ ଝିଅ ପଚାରିଲା “ବାପା ! ଗପର ନାଁ ?’’ ଲେଖକର ପ୍ରଦତ୍ତ ନାଁରେ ସନ୍ତୁଷ୍ଟ ନ ହୋଇ ସଙ୍ଗେ ସଙ୍ଗେ ସେ କହିଲା-“ଆତ୍ମାର ଝଡ଼” । ତାହାର ଏହି ପ୍ରସ୍ତାବକୁ ମଧ୍ୟ ତାର ସାତ ବର୍ଷର ଭାଇ ‘ବିନୟ-ଭାନୁ’ ସମର୍ଥନ ଜଣାଇଲା । ତେଣୁ ପିଲାମାନଙ୍କ ପ୍ରସ୍ତାବ ଓ ଅନୁମୋଦନକୁ ଲେଖକ ଶିର ନୁଆଁଇ ମାନିନେଲା—ହଁ, “ଆତ୍ମାର ଝଡ଼” !

 

ଲେଖକପ୍ରଦତ୍ତ ନାଁ ଲୁଚିଗଲା । ଯାଉ, କ୍ଷୋଭ ନାହିଁ । ବହିଟି ଲେଖିବାରେ ଗୋଟିଏ ମଧୁ-ଝୁଙ୍କି ଲେଖକର ଥିଲା । ତିନିଦିନ ପୂର୍ଣ୍ଣ ନୀରବତା ମଧ୍ୟରେ ଗପଟିର ପାଣ୍ତୁଲିପି ଲେଖା ଯାଇଥିଲା । ଆଜି ବିଶ୍ଵର ବହୁ ଆତ୍ମା-ତୀର୍ଥରେ ଏହି ଝଡ଼ ଛାଡ଼ି ତୁନି ହୋଇ ଯିବା ହିଁ ଲେଖକର ଏକମାତ୍ର କର୍ତ୍ତବ୍ୟ ।

 

ପୁନଶ୍ଚ ଗପଟି କଥୋପକଥନ ଛଳରେ ଲେଖାହୋଇଥିବାରୁ ଉଦ୍ଧୃତ ଚିହ୍ନ ପ୍ରତ୍ୟେକ ଚରିତ୍ରଙ୍କ ବକ୍ତବ୍ୟ ଉପରେ ଦିଆଯିବା ପ୍ରୟୋଜନ ମନେ କରାଯାଇ ନାହିଁ ।

 

ରଜ ସଂକ୍ରାନ୍ତି

ନବକିଶୋର ଦାସ

୧୯୫୩

 

Image

 

ଆତ୍ମାର ଝଡ଼

(୧)

 

ଝଡ଼ ! ଓହୋ ! କି ପବନ ଓ ଧୂଳି ! ନଈ ବାଲିରେ ବାଲିଗୁଡ଼ାକ ତୀର ଭଳି ଗୋଡ଼ ପେଣ୍ତାରେ ଫୋଡ଼ି ହୋଇଯାଉଚି । ପବନ ଯେପରି ସହସ୍ର ସହସ୍ର ବାଲି-ନାଗ ଶୁଖିଲା ନଈରେ ଛାଡ଼ିଦେଇଚି । ଅନ୍ଧାର, କେଉଁ ଦିଗରୁ କିଛି ଦେଖାଯାଉ ନାହିଁ । କାନରେ କେବଳ ସୁ-ସୁ ଶଦ୍ଦ…ଆଉ ଦେହକୁ ଜଣାପଡ଼ୁଚି ଖାଲି ବାଲି ଆଉ ପବନ । ନଈ ବାଲିରେ ଏହି ଅନ୍ଧାରରେ ଜଣେ ମାତ୍ର ବାଟୋଇ । ଆନନ୍ଦ ତାହାଙ୍କ ‘ସେବା-ବିହାର’ ଛାଡ଼ି ସହର ଅଭିମୁଖରେ ଯାତ୍ରୀ । ସନ୍ଧ୍ୟା ସଙ୍ଗେ ହଠାତ୍ ଏହି ଧୂଳି ଓ ଝଡ଼ । ସନ୍ନ୍ୟାସୀ ନାକ, କାନ, ଆଖି ଘୋଡ଼ାଇ ଗୋଟାଏ ଆଡ଼କୁ ମାଡ଼ି ଚାଲିଚନ୍ତି । ସେ ଜାଣନ୍ତି ନଈର ଆର ପାଖରେ ସହର । ବାଟ ଭୁଲିବାର କୌଣସି ଆଶଙ୍କା ନାହିଁ; ମାତ୍ର ନିର୍ଦ୍ଦିଷ୍ଟ ରାସ୍ତାକୁ ସେ ଆଉ ଲକ୍ଷ୍ୟ ରଖିପାରି ନାହାନ୍ତି । ଲକ୍ଷ୍ୟ ରଖିବା କି ସମ୍ଭବ ? ଯେଉଁଠି ପାଣି ପବନର ମହାନାଟ, ଯେଉଁଠି ଧୂଳି ବାଲିର ମହା କୋଳାକୋଳି, ସେଠି ସାମାନ୍ୟ ଆନନ୍ଦ କେଉଁଠି ସମ୍ଭଳା ପଡ଼ୁଚନ୍ତି ? କ୍ରମେ ଆନନ୍ଦ ନଈର ବାଲି ଡେଇଁ କୂଳକୁ ଆସିଲେ । ବୋଧହୁଏ ପଡ଼ିଆ । କାରଣ ଗୋଡ଼କୁ ଘାସ, ବୁଦା, ଧୂଳି ଜଣାପଡ଼ୁଚି । ଆଉ ବାଲି ନାହିଁ, ତଥାପି ବାଟ ତାଙ୍କୁ ଦେଖାଯାଉ ନାହିଁ ।

 

ଝଡ଼ର ପ୍ରକୋପ କମିବାର କୌଣସି ସୂଚନା ମଧ୍ୟ ନାହିଁ । ଏଁ, ଗୋଡ଼ରେ ଏଇଟା କ’ଣ ବାଜିଲା ? ଗୋଲ ? ହୁଏତ ନଡ଼ିଆ ! କେହି ପଇଡ଼ ପିଇ ଫୋପାଡ଼ି ଦେଇଚି । ନା, ହାଣ୍ତି ବା ମାଠିଆଟାଏ ହେବ ପରା ! ...ହଁ, ଗୋଡ଼କୁ ଏ କ’ଣ ଖଣ୍ତ ଖଣ୍ତ ଲାଗୁଚି ? ହଁ, ହୋଇପାରେ ଇଟା ଚୂନ ଗୁଣ୍ତା… । ବାଡ଼ିଟାଏ ଯେ ଗୋଡ଼ିରେ ବାଜିଲା ! ଗୋଡ଼ ତଳେ ଏ କ’ଣ ମସିଣା ଭଳି ଜଣାପଡ଼ୁଚି ? ଛିଣ୍ତା ସପ କିମ୍ଵା ହେଁସ ହୋଇପାରେ ? ଆନନ୍ଦ ଏକ କାନ୍ଥ ହାବୁଡ଼ିଗଲେ ପରା ! ଚାରିଆଡ଼େ ଅନ୍ଧାର । ନା, ଏକ ଗଛ ଚାରିପଟେ ଚଉତରାଟା । ସେ ହାତରେ ଅଣ୍ତାଳି ଚଉତରା ଉପରକୁ ଉଠି ବସିଲେ । ସେ ଆଉରି ଆଗକୁ ହାତ ବଢ଼ାଇଲେ, ଗଛ । ତାଙ୍କ ମନରେ ଏହା ଦମ୍ଭ ହେଲା । ଗଛ, ଏହାର ଯେ ମାଟି ସଙ୍ଗେ ନିବିଡ଼ ବଂଧୁତା । ଆନନ୍ଦ ଦୀର୍ଘନିଶ୍ଵାସ ଛାଡ଼ି ବିଶ୍ରାମ ନେଲେ । ହୁଏତ ଝଡ଼, ତୋଫାନ, ଅନ୍ଧାର ମଧ୍ୟରେ ଏଠାରେ ଆଉରି ଅନ୍ଧାର ଗାଢ଼ତର; କିନ୍ତୁ ଆନନ୍ଦଙ୍କର ତାହା ଆଶ୍ରୟ । ଆଖିକୁ ତାହା ତାଙ୍କର ଦିଶୁ ନାହିଁ । ଦେହରୁ ଗମଗମ ଝାଳ ବୋହି ଯାଉଅଛି । ଗେରୁଆ ପଞ୍ଜାବି ଝାଳରେ ଦରବୁଡ଼ି । ମୁଣ୍ତରେ ବାନ୍ଧିଥିବା ଚାଦର ଖଣ୍ତି ସେ ଫିଟାଇ ଝାଳ ପୋଛିଲେ । ଗଛମୂଳେ, ଅନ୍ଧାର ରାତିରେ ଆନନ୍ଦ ଏକା । ଝଡ଼ ଓ ଧୂଳି…ସୁ-ସୁ ଶଦ୍ଦ ! କେତେବେଳେ ଡାଳ ଖଣ୍ତେ ଭାଙ୍ଗୁଚି, ରଡ଼ରଡ଼ ଶଦ୍ଦ । ଗଛମୂଳେ ରହିବା ନିରାପଦ କି ? ଆନନ୍ଦଙ୍କ ମନରେ ଏ ଚିନ୍ତାବି ଆସିଲା । ବଡ଼ ଗଛ ! ଦେଖାଯାଉ, କ’ଣ ହେଉଛି ! ଆନନ୍ଦ ଆଶ୍ଵସ୍ତ ହେଲେ । ତାଙ୍କ ସେବା-ବିହାରର ଦୃଶ୍ୟ ମନରେ ପଡ଼ିଲା । ଅନାଥ ପିଲାମାନେ କ’ଣ କରୁଥିବେ ? ଝଡ଼ରେ ସେମାନଙ୍କ ଛୋଟ ଛୋଟ କୁଡ଼ିଆ ଘର ହୁଏତ ଉଡ଼ିଯାଇଥିବ । ଯାଉ, ସେକଥା ଏଠି ଭାବି କି ଲାଭ-? ଯେଉଁମାନେ ସେଠାରେ ଅଛନ୍ତି, ସେମାନେ ତାର ଯତ୍ନ ନେବେ । ଅଳ୍ପ ଦୂରରେ ଆନନ୍ଦଙ୍କ ପରିଚିତ ସହର; ଝଡ଼ ଓ ଧୂଳି ତଳେ ଦୀର୍ଘନିଶ୍ଵାସ ଛାଡ଼ି ହୁଏତ ଶୋଇପଡ଼ୁଚି ! ନିଦ ପୁରା ଲାଗି ନାହିଁ ! ସହରରେ ସନ୍ନ୍ୟାସୀଙ୍କର ବହୁ ପରିଚିତ ପରିବାର । ଆନନ୍ଦ ସବୁଠି ଆଦର ଓ ଅଭ୍ୟର୍ଥନା ପାଆନ୍ତି । ମାତ୍ର ଏକୁଟିଆ ଏହି ନିକାଞ୍ଚନ ଗଛମୂଳେ ଆନନ୍ଦ । ଏ ସନ୍ନ୍ୟାସ ଜୀବନ ! ଓହୋ ! ଆଜି କି ଭୀଷଣ ଏ ଧୂଳି ଓ ଝଡ଼ !

 

ଯେତିକି ରାତିର ଅନ୍ଧାର ବଢ଼ିଲା, ସେତିକି ଝଡ଼ର ବେଗ କ୍ରମେ କମିଆସିଲା । ଆନନ୍ଦ ଗଛମୂଳ ଛାଡ଼ି ଆଜି ରାତିରେ ସହରକୁ ଯିବାକୁ ମନ ବଳେଇଲେ ନାହିଁ । ଗଛମୂଳରେ ଚଉଡ଼ା ଚଉତରା । ବେଶ୍ ନିରାପଦରେ ମଣିଷ ଶୋଇପାରେ । ସାପ ! ହଁ, ଥାଇପାରେ । ରାସ୍ତାରେ ଯାଉଁ ଯାଉଁ ଯଦି ଅନ୍ଧାରରେ ସାପ… ମଣିଷ ନିରୁପାୟ । ପ୍ରକୃତିର ଷଡ଼ଯନ୍ତ୍ର ବିରୁଦ୍ଧରେ ଲଢ଼ି ଜୟୀ ହେବା ମଣିଷ ପକ୍ଷରେ ସବୁବେଳେ ଅସମ୍ଭବ । ମଣିଷର ଆଶ୍ରା କେବଳ ବିଶ୍ଵାସ ନୁହେଁ, ବିଚାର ! ମାତ୍ର ମନ ମାନୁ ନାହିଁ । ବିଚାର ଓ ବିଶ୍ଵାସର ସୀମା ଅତି ପାଖାପାଖି । ପ୍ରକୃତିକୁ ଶତ୍ରୁ କିମ୍ଵା ଷଡ଼ଯନ୍ତ୍ରକାରୀ ଭାବିବା ଅପେକ୍ଷା ମିତ୍ର ଓ ଉପକାରୀ ରୂପେ ବରଣ କରିବାରେ ମନ୍ଦ କ’ଣ ଅଛି ? ଏ ଆପୋଷ ମୀମାଂସାରେ ଆନନ୍ଦ ସୁଖ ଓ ସାନ୍ତ୍ଵନା ପାଇଲେ । ସାପ, ପରବାଏ ନାହିଁ ! ମଣିଷ ଦୁଇଥର ମରେ ନାହିଁ । ଯେ ଦୁର୍ବଳ, ଭୀରୁ, ସେ ହିଁ ଦୁଇ ଥର ମରେ । ଆନନ୍ଦଙ୍କ ହୃଦୟ ଭୀରୁତା କିମ୍ଵା ଦୁର୍ବଳତାରେ ଗଢ଼ା ନୁହେଁ । ଅନ୍ଧାର କୋଳରେ ଗଛତଳେ ଚାଦର ପାରି, ପଞ୍ଜାବିକୁ ତକିଆ କରି ଆନନ୍ଦ ଶୋଇଲେ । ଝଡ଼ କମିଯାଇଚି । ଆକାଶରେ ତାରାପୁଞ୍ଜ କେତୋଟି ବେଶ୍ ଉଜ୍ଜ୍ଵଳ ଦେଖାଗଲେଣି । ଝଡ଼ ସଙ୍ଗେ ସଙ୍ଗେ ଅନ୍ଧାର ମାଡ଼ି ଆସିଥିଲା । ମଣିଷର କି ଚାରା ଆଲୁଅ ବିନା ଅନ୍ଧାରରେ ଏହି ରହସ୍ୟ ଭେଦ କରିବାକୁ ! ଆନନ୍ଦଙ୍କ ରାତ୍ରି ଭୋଜନ ସରିଯାଇଚି ଆଗରୁ; ଶୋଇବା କଥା । ଏଥିପାଇଁ ଏତେ ରାତିରେ ପୁଣି ସହରକୁ ଯିବାକୁ ମନ ଛନଛନ କରୁଚନ୍ତି କିଆଁ ? ଶୁଆଯାଉ !

 

ଆନନ୍ଦ ଶୋଇଲେ । ନିଦ ଲାଗି ନାହିଁ । ଗଛର ପତ୍ରଗହଳରେ ଗୋଟିଏ ଗୋଟିଏ ଉଜ୍ଜ୍ଵଳ ତାରା, ଗ୍ରହ ଖଣ୍ତିଏ ଖଣ୍ତିଏ ମୂଲ୍ୟବାନ୍ ପଥର ଭଳି ଝଲସି ଉଠୁଚନ୍ତି । ସପ୍ତର୍ଷିମଣ୍ତଳର ଦୁଇ ତିନୋଟି ତାରା ଆନନ୍ଦ ଦେଖିପାରିଲେ । ଚନ୍ଦ୍ର ମେଘାଚ୍ଛନ୍ନ । ତେଣୁ ଜ୍ୟୋତ୍ସ୍ନା ପରିବର୍ତ୍ତରେ ଅନ୍ଧାର ରାଜୁତି । ଦେହ ଏପରି କ୍ଳାନ୍ତ ଓ ଶ୍ରାନ୍ତ ଯେ ଆଉ ଉଠିବାକୁ ଇଚ୍ଛା ହେଉ ନାହିଁ । ଝଡ଼ କମିବା ସଙ୍ଗେ ସଙ୍ଗେ ଆକାଶ, ବାୟୁମଣ୍ତଳ ଶାନ୍ତ ହୋଇଆସିଚି । ଆନନ୍ଦ କ୍ରମେ ଆଖିବୁଜି ଶୋଇବାକୁ ପ୍ରସ୍ତୁତ ହେଲେ । ଗଛପତ୍ର ଧୀର ପବନରେ ଏକ ନୂଆ ଧରଣର ସଂଗୀତ ଆରମ୍ଭ କରିଦେଇଚି । ଝଡ଼ ପରେ ଶାନ୍ତି…କ୍ଳାନ୍ତି ପରେ ବିଶ୍ରାମ । ଆନନ୍ଦଙ୍କ ମନରେ ସନ୍ତୋଷ ଓ ଶାନ୍ତି । ଆନନ୍ଦ ପୂରାପୂରି ଅବଧୁତ ନୁହନ୍ତି । ତଥାପି ମନେ ପଡ଼ିଗଲା–

 

“ଯେ ପ୍ରାଣୀ ଦିଗମ୍ଵର ହୋଇ

ଭ୍ରମେ ସନ୍ନ୍ୟାସ ଦେହ ବହି ।”

 

ସନ୍ନ୍ୟାସୀ ପାଇଁ ସହରର କୋଠାଘର ଓ ଗଛମୂଳ ମଧ୍ୟରେ କି ଫରକ୍ ?

 

(୨)

 

ରାତିର ପ୍ରଥମ ପହର । ଆନନ୍ଦଙ୍କ ଆଖିରେ ନିଦ । ମନରେ କିନ୍ତୁ ଖେଳ । ଆନନ୍ଦଙ୍କ ଆଗରେ ଏକ ନାରୀମୂର୍ତ୍ତି । ଏ ସ୍ଵପ୍ନ । ସ୍ଵପ୍ନ ନା ବାସ୍ତବ ? ବାସ୍ତବ ଯେ ବେଳେବେଳେ ସ୍ଵପ୍ନ ଭଳି ସୁନ୍ଦର, ସ୍ଵପ୍ନ ଯେ ବେଳେ ବେଳେ ବାସ୍ତବ ଭଳି ସତ୍ୟ । ହଁ, ନାରୀ ଦେହରେ ଖଣ୍ତିଏ ସଫା ଶାଢ଼ୀ, ଧଡ଼ିର ରଙ୍ଗ ନେଳୀ । ଫୁଲ ଓ ହଂସ ଶାଢ଼ୀର ଧଡ଼ିରେ ଖେଳୁଚନ୍ତି । ହଂସ ଚାହୁଁଚି ପଦ୍ମଫୁଲର କେଶର ଖାଇବାକୁ, ଥଣ୍ଟ ପାଉ ନାହିଁ । ଏହି ଖେଳରେ ଧଡ଼ିର ଶୋଭା ବଢ଼ିଚି । ଉଭା ହୋଇଥିବା ନାରୀଟି ଦେଖିବାକୁ ପାତଳୀ, ଗୋରୀ । ଦେଖିଲେ ଜଣାପଡ଼ୁଚି ଯୌବନର ରୂପଶ୍ରୀ, କେତକୀ-କାନ୍ତି ଯେପରି କିଏ ବଳାତ୍କାର କରି ତା ଦେହରୁ କାଢ଼ିନେଇଚି । ମଣିଷର ଖାନଦାନ୍‌ପଣିଆ ଯେପରି ତା କଥାବାର୍ତ୍ତା, ଚାଲିଚଳଣରୁ ଧରାପଡ଼ିଯାଏ, ସେପରି ଯୁବତୀଟି ଯେ ଦିନେ ରୂପସୀ ଥିଲା, ଏହା ତାହାର ମଳିନ ଅଥଚ ଶୀର୍ଣ୍ଣ ଚେହେରାରୁ ସ୍ପଷ୍ଟ । ବୟସ ଅନ୍ଦାଜ ପଞ୍ଚତିରିଶ । ମୁଣ୍ତର କଳା କେଶଗୁଚ୍ଛ ଆଜି ବି ବେଣୀ ବାନ୍ଧିଲେ କଳା ସାପକୁ ନିନ୍ଦନ୍ତା ! ମାତ୍ର କେଶଗୁଡ଼ିକ ତେଲ ବିଦୁନେ ନୁଖୁରା । ପଛରେ ଏକ ଅଯତ୍ନବନ୍ଧା ଗଣ୍ଠି । ନାରୀକୁ ଦେଖିଲେ ମନେ ହେଉଚି ତାହାର ଗୋରା ତକତକ ଦେହରୁ ଯେପରି କିଏ ସମସ୍ତ ରକ୍ତ ଶୋଷିନେଇଚି ଏବଂ କେବଳ ଢଙ୍କାରହିଚି ତାହାର ହାଡ଼ ଉପରେ ଚମ । ପଥରତଳ ଦୁବଘାସ ଏ । ଆଖି ଦୁଇଟି ଯାହା ହୁଏତ ନୀଳକଇଁ ଭଳି ଢଳଢଳ, ସତେଜ ଥିଲା, ତାହା ଆଜି କୋଟରଗତ । ବାହୁ ହୁଇଟି ଯାହା ମୃଣାଳ ଭଳି ଲୀଳାୟିତ ହେଉଥିଲା, ତାହା ଶିରାପ୍ରଶିରା ଘେନି ଦୁଇପାଖରେ ଝୁଲୁଚି । ନାରୀର ବକ୍ଷରେ, ଯେଉଁଠି ସୁନ୍ଦର, ଉନ୍ନତ ବକ୍ଷୋଜଫୁଟା-ପଦ୍ନ ଭଳି ଯୁବ-ଜନଙ୍କ ଆଖି ଓ ମନକୁ ଆକର୍ଷଣ କରୁଥିଲା, ତାହା କେତେକ ଚମର ଅବଶେଷ ! ନାରୀ ଦୀର୍ଘଶ୍ଵାସ ଛାଡ଼ି ଆନନ୍ଦଙ୍କ ପାଦ ପାଖରେ ଛିଡ଼ାହେଲା ଏବଂ ପଚାରିଲା, “ଚିହ୍ନିପାରୁଚ ?’’

 

ଆନନ୍ଦ କେଉଁ ଅତୀତର ସ୍ମୃତି ମନେ ପକେଇବାକୁ ଚେଷ୍ଟା କଲେ । ନାରୀଟି ଅଧୈର୍ଯ୍ୟ ହୋଇ ପୁଣି ପ୍ରଶ୍ନ କଲା, “ଚିହ୍ନିବା ପାଇଁ କ’ଣ ଏତେ ପରିଶ୍ରମ ?’’

 

ଆନନ୍ଦଙ୍କ ଆଖିରେ ଲାଜ । ଯୁବତୀ ମୁହଁରେ ଲାଜ ଓ ଅଭିମାନ । ଆନନ୍ଦ ଅତୀତ ସ୍ମୃତିର ଭଣ୍ତାରଘରୁ ଗୋଟିଏ ନାଁ ବାଛି କହି ପକାଇଲେ, “କିଏ ମାଧବୀ ?’’

 

“ହଁ ମାଧବୀ ! ମାଧବୀ ନୁହେଁ, ମଧୁ-ରାତି ପାଇଁ ଗୁନ୍ଥା ହାରର ମଉଳାଫୁଲ… । ମନେପଡ଼ୁଚି ମୋ ସଙ୍ଗେ ତୁମର ପ୍ରଥମ ଦେଖା ମାଳତୀ କୁଞ୍ଜତଳେ…ସେହି ସଞ୍ଜବେଳେ…‘‘ଆନନ୍ଦ ଯେପରି ପୁଣି ଚିନ୍ତାମଗ୍ନ ହେଲେ । ସେ ଦୂର ଅତୀତର କୌଣସି ମଧୁସ୍ମୃତି ମନେ ମନେ ଖୋଜୁଥିଲେ । ପୁରୁଷ ଏପରି ଭୁଲିଯାଏ । ନାରୀ ଥରେ ଯାହାର ସ୍ପର୍ଶ ପାଏ, ଯେଉଁ ସ୍ମୃତି-ସୁଧା ଚାଖେ, ସେ ଭୁଲେ ନାହିଁ । ନାରୀ ଭୁଲିପାରେ ନାହିଁ ।’’

 

ଏଇଟା ନାରୀର ଗୁଣ ନା ଦୋଷ ?

 

ଗୁଣ, ଦୋଷ ବିଚାର କରିବା ପାଇଁ ମୁଁ ଆଜି ଏଠାକୁ ଆସି ନାହିଁ । ନାରୀ ପକ୍ଷରେ ଯାହା ସ୍ଵାଭାବିକ, ପ୍ରାକୃତିକ, ତାହାହିଁ ମୁଁ କହୁଚି ।

 

ହଁ ।

 

ମନେ ପଡ଼ୁଚି । ସେଦିନ ସଞ୍ଜ ଆକାଶରେ କାର୍ତ୍ତିକ ପୂନେଇର ଚାନ୍ଦ । ଶୁକ୍ଳଜ୍ୟୋତ୍ସ୍ନାରେ ନୀଳ ଆକାଶ ସ୍ନିଗଧ ଓ ସୁନ୍ଦର ଥିଲା । ତମେ ଆମ ଘରକୁ ଆସିଥିଲ । ସେତେବେଳେ ତମେ କିଶୋର । ତମର ସରଳତା, ହସହସ କଥା, ଚପଳତା, ବହି-ପ୍ରୀତି ମୋତେ ସବୁ ସୁଖ ଲାଗୁଥିଲା । ତମ ଆଖି ଦୁଇଟି ଫୁଟିଆସୁଥିବା ଦୁଇଟି ଫୁଲ ଭଳି ମୋତେ ସୁନ୍ଦର ଦିଶୁଥିଲା । ମୁଁ ଯେତେବେଳେ ତମକୁ ଜଳଖିଆ ଖାଇବାକୁ ଦେଉଥିଲି, ତମ ଆଖିକୁ ମୁଁ ବାରମ୍ଵାର ଅନାଉଥିଲି । ସେଥିରେ ଥିଲା ମୋ ଭଳି ନାରୀପାଇଁ ଅକୁହା ମଧୁ ! ଆମ ଘରକୁ ବାରମ୍ଵାର ଆସିବ ବୋଲି କହି ବିଦାୟ ନେଇଥିଲ…

ହଁ, ମନେପଡ଼ୁଚି । ସେ ତ ବହୁଦିନର କଥା ଓ ସ୍ମୃତି । ତାହାର ଆଜି ବା କି ପ୍ରୟୋଜନ-?

ଯାହା ଗଲା, ସେ କ’ଣ ଏମିତି ଅଦରକାରୀ ଯେ ମଣିଷ ଆଉ ସେ ଗଲା କଥା ଭାଳିବ ନାହିଁ ? ସେ ସ୍ମୃତି ଯେତେ ମଧୁର ଓ ପ୍ରେମପୂର୍ଣ୍ଣ ହେଲେ ମଧ୍ୟ ମଣିଷ ତାହା ଚିନ୍ତା କରିବ ନାହିଁ ? ଯାହା ଯାଇଚି, କ’ଣ ତାହା ସତେ ପୂରାପୂରି ଯାଇଚି ?

ଯିବା ପଛରେ କ’ଣ କିଛି ‘ଅଛି’ ରହିଯାଇଚି ?

ହଁ, ସେହିକଥା ମୁଁ ପଚାରୁଚି । ତମର ଆଉ ମୋର ବିବାହ ହେବାର ଏକମାତ୍ର ପ୍ରତିବନ୍ଧକ ଥିଲା ଜାତିଆଣ ଗୋଷ୍ଠୀ । ତମେ ଥିଲ ସ୍କୁଲ ପୁଲା । ତମ ମନ ଉପରେ ତମେ ପୂରାପୂରି ମାଲିକ ନ ଥିଲ । ତମର ଟଙ୍କା କଉଡ଼ିରେ ସ୍ଵାଧୀନତା ନ ଥିଲା । ତମେ ପ୍ରଚଳିତ ସମାଜକୁ ଶଙ୍କି ରହିଗଲ । ଏପରି କି ଆମ ଘର, ଦ୍ଵାର ବି ମାଡ଼ିଲ ନାହିଁ !

ଆନନ୍ଦ ହସିବାକୁ ଲାଗିଲେ ।

ତମେ ହସୁଚ ! ଯାହା ତମ ପାଖରେ ହସ, ତାହା ମୋ ପକ୍ଷରେ ସର୍ବନାଶ !

ଖେଳ, ମାଧବୀ ! ତିରିଷ ବର୍ଷ ପରେ ସେ ସ୍ମୃତି ଓ ଚିତ୍ରକୁ ଯଦି ମଣିଷ ଖେଳ ବୋଲି ଗ୍ରହଣ ନ କରେ, ତେବେ ସେ ମଣିଷର ବଞ୍ଚିବା ଏକ ବିରାଟ ନିରର୍ଥକତା…

ଗାଳି ଦେଇପାର ! ନିରଥକ ହୋଇଚି ଏ ଜୀବନ । ଯେଉଁ ନିଆଁ ତମେ ମୋ ଛାତିତଳେ ଜାଳି ଦେଇଗଲ, ତାହାର ପରିଣତ କ’ଣ ହେଲା, ତାହାର ପୂରାପୂରି ଖବର ତମେ ହୁଏତ ରଖିବାକୁ ଚେଷ୍ଟା କରି ନାହିଁ ?

କ’ଣ ହେଲା ?

କ’ଣ ନ ହେଲା ? ବଣରେ ନିଆଁଗୁଳା ପକାଇ ମଣିଷ ଚାଲିଯାଏ । ମଣିଷ ଚାଲିଗଲେ ମଧ୍ୟ ନାଆଁ କୁଆଡ଼େ ଚାଲିଯାଏ ନାହିଁ । ପବନ ପଇଲାମାତ୍ରେ ସେ ନିଆଁ କୁହୁଳି ଜଳେ; ଭୀଷଣ ଭାବରେ ଜଳେ । ହୁଏତ ସେ ନିଆଁରେ ବଣ ପୋଡ଼ି ଜଳି ପାଉଁଶ ହୁଏ ।

ମୋତେ ସେଥିପାଇଁ ଆଜି ଦୋଷୀ କିମ୍ଵା ଦାୟୀ କରିବାକୁ ଆସିଚ ?

ନା–ନା, ତମକୁ ଦାୟୀ କିମ୍ଵା ଦୋଷୀ କରି ଆଉ ମୋର କି ଲାଭ ? ଯେଉଁ ଅଭିଯୋଗର ପ୍ରତିକାର ନାହିଁ, ସେପରି ନିରର୍ଥକ ଅଭିଯୋଗ କିମ୍ଵା ଅଭିମାନର ଅଭିନୟ କରିବା ମୋର ଇଚ୍ଛା ନୁହେଁ ।

 

ତେବେ ?

 

ତେବେ ଜୀବନର ଦୁଃଖ ଓ ନିର୍ଯ୍ୟାତନକୁ ହାଲୁକା କରିବା ପାଇଁ—

 

ସମବେଦନା ଚାହୁଁଚ ? ସେଥିପାଇଁ ତ ମୁଁ କହୁଚି ତାହାକୁ ତାଆସ ଖେଳ ଭଳି ଗ୍ରହଣ କର ।

 

ହଁ, କହିବାକୁ ଚାହୁଁଚ ‘ହାର’, ‘ଜିତ୍’ ସବୁ ଖେଳ ?

 

ଆଉ କ’ଣ ?

 

ପାରି ନାହିଁ, ପାରିବି ନାହିଁ; ଖେଳ ବୋଲି ଗ୍ରହଣ କରିଥିଲେ ମୁଁ ଆଜି ଜଳି ପାଉଁଶ ହୋଇ ନ ଥାନ୍ତି ।

 

କ’ଣ ହେଲା ମାଧବୀ ତମର ? ବିଭା ହେଲ ବୋଲି ମୁଁ ଶୁଣିଥିଲି ।

 

ହଁ, ବିଭା ହେଲି । ତମେ ଯେଉଁ ନିଆଁ ଜାଳିଥିଲ, ତାର ପରିଣତ ନିଶ୍ଟୟ ବିବାହ; ମାତ୍ର ବିବାହ ମୋତେ ସହିଲା ନାହିଁ । ମୁଁ ତିନୋଟି ଶିଶୁର ମା ହେବା ଆଗରୁ ମୋ ସ୍ଵାମୀଙ୍କର ମୃତ୍ୟୁ ହେଲା ।

 

ଆନନ୍ଦ ତୁନିହୋଇ ମାଧବୀର ଜୀବନ କଥା ଶୁଣୁଥିଲେ; ସେ ଭାବୁଥିଲେ ମଧ୍ୟ ।

 

ଜାଣ ଭରାଯୌବନରେ ବିଧବା ହେବା ଦୁଃଖ ! ହିନ୍ଦୁ ସମାଜ ହୁଏତ ଠିକ୍ କରିଚି ଯେ ବିଧବାକୁ ଆଉ ବିବାହ ହେବାକୁ ସ୍ଵାଧୀନତା ନ ଦେଇ । କାରଣ ଏହା ପଛରେ ନାରୀସମାଜର ସମୂହକଲ୍ୟାଣ ଚିନ୍ତା ଅଛି । ଯଦି ଜଣେ ନାରୀ ପୁରୁଷ ପାଇବାକୁ ଦୁଇଥର ସ୍ଵାଧୀନତା ପାଏ, ଯେଉଁ ଅବିବାହିତା ଝିଅ ଅଛନ୍ତି, ସେମାନଙ୍କ ସଂଖ୍ୟାନୁପାତରେ ପୁରୁଷ ହୁଏତ ଅଭାବ ପଡ଼ିଯିବେ…

 

ବାଃ, ତମେ ତ ସବୁ ବୁଝୁଚ, ଆଉ କ’ଣ ?

 

ହଁ, ଏହି ବୁଝିବା ମଧ୍ୟରେ ମୋର ସବୁ ଭୁଲ ହୋଇଗଲା । ମୁଁ ମନେ ମନେ ଯୁକ୍ତି ବାଢ଼ି ଦେଖିଲି ଯେ ମୋର ଏହି ଫୁଟିଲା ଫୁଲ ଭଳି ଯୌବନକୁ ମୁଁ ଉପଭୋଗ-ଶୂନ୍ୟ କରି ରଖିପାରିବି ନାହିଁ । ତେଣୁ ମୁଁ ଜାଣି ଜାଣି ମୋର ରୂପ, ଯୌବନକୁ କୀଟଦଷ୍ଟ କରାଇଦେଲି…

 

ଆନନ୍ଦ ପ୍ରଶ୍ନବାଚକ ଦୃଷ୍ଟିରେ ମାଧବୀ ମୁହଁକୁ ଚାହିଁରହିଲେ ।

 

ବୁଝିପାରୁ ନାହିଁ ? ମୁଁ ଇନ୍ଦ୍ରିୟର ତୃପ୍ତିପାଇଁ ବହୁ ପୁରୁଷ ସାଥି କଲି । ମୋର ଉଦ୍ଦାମ ଯୌବନ, ରୂପଶ୍ରୀ, ଗୌରକାନ୍ତି— ଏ ତ ଉପଭୋଗ ପାଇଁ । ଏହାକୁ ଶୂନ୍ୟ ଆକାଶ ତଳେ ନିଃସଙ୍ଗ ଭାବରେ ଝଡ଼ାଇଦେବା ବେଦନା ମୁଁ ସହିପାରିଲି ନାହିଁ । ତେଣୁ ମୁଁ ବହୁ ଯୁବକଙ୍କ ଅଙ୍କ ମଣ୍ତନ କରିଚି, ବହୁ ଯୁବକଙ୍କ ସଙ୍ଗେ ଯାମିନୀ-ସଙ୍ଗିନୀ ହୋଇଚି, ପୁରୀ, ଗୋପାଳପୁର ଯାଇଚି । ଯୁବକଙ୍କ ଆନନ୍ଦ ପାଇଁ ଯୁବତୀର ଦେହ, ମନ, ପ୍ରାଣ କ’ଣ ଅଦେୟ ଅଛି ? ସବୁ ଅକାତରରେ ଦେଇଚି…

 

ତୃପ୍ତି ପାଇଲ ତ ?

 

ତୃପ୍ତି ? ପେଟ ପୂରିଚି, ମାତ୍ର ମନ ମାନି ନାହିଁ । ଲାଳସାର ଇତି ହେଲା ନାହିଁ ।

 

ମନ ନାହିଁ, ମନା ନାହିଁ ଭଳି; ନୁହେଁ ?

 

ନିଶ୍ଚୟ, ମୋର ମନ-ମଣିଷ ଯେ ମୁଁ ପାଇଲି ନାହିଁ । ମନେ ମନେ ସବୁବେଳେ ତମକୁ ମୁଁ ଖୋଜିଚି, ଅନ୍ୟର ବାହୁ-ବନ୍ଧନରେ ରହି ତମର ରୂପ, ଯୌବନ ମୋ ମନକୁ ଆଚ୍ଛନ୍ନ କରି ରଖିଥିଲା…

 

କି ଆଚମ୍ଵିତ କଥା !

 

ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଏହା ମୋର ମନର କଥା—ଆଉ ସତ୍ୟ ଅନୁଭୂତି !

 

ମାଧବୀ ଟିକିଏ ରହି ପୁଣି କହିଲା, “ହଁ ତମକୁ ଚାରି ପାଞ୍ଚ ଥର ଦେଖିଥିଲି । କିନ୍ତୁ ତମର ଉଦାସ ଚାହାଣୀରେ ମୋ ଯୌବନର ଖୋରାକ ନ ଥିଲା । ପାଣ୍ତିତ୍ୟପୂର୍ଣ୍ଣ କଥାସ୍ରୋତରେ ନାରୀର ପ୍ରେମତୃଷା ମେଣ୍ଟେ ନାହିଁ । ତୁମର ଛଳନାହୀନ ସରଳ ବ୍ୟବହାରରେ ଯୁବତୀ ମନ ମାନିବା ଭଳି ସାମଗ୍ରୀ ନ ଥିଲା…”

 

ତମେ ଯାହା ପାଇଲ ତାହା କ’ଣ ଛଳନା; ପ୍ରେମ ନୁହେଁ ?

 

ପ୍ରେମ ? ତାହା ମୋ ଆଗରେ ମରୁବାଲି…ମୁଁ କେବଳ ଦେହ ଘେନି ପଡ଼ିରହିଲି । ସେତିକିବେଳେ ତମେ ଥରେ ମୋ ପାଖକୁ ଆସିଥିଲ, ମନେ ପଡ଼ୁଚି ?

 

ଆନନ୍ଦ ଭାବିଲେ ।

 

ତମେ ଏମିତିବେଳେ ଥରେ ମୋ ପାଖକୁ ଆସିଥିଲ, ପୁଣି ଲୁଚି ଲୁଚି । ମୁଁ ତମକୁ ମନେ ମନେ ଦୟାକଲି; କରୁଣାରେ ମୋର ହୃଦ ପୂରିଗଲା ।

 

କି ଦୀନହୀନ ଭାବରେ ତମେ ସେଦିନ ରାତିରେ ମୋ ପାଖକୁ ଆସିଥିଲ ! ସେତେବେଳକୁ ମୁଁ ଗର୍ଭବତୀ । ମନେରଖ ମୋର ସ୍ଵାମୀ ନ ଥାଇ ମୁଁ ଗର୍ଭବତୀ; ମୁଁ ସମାଜକୁ ଖାତିର କରି ନାହିଁ । ସମାଜ ଆଖିରେ ଧୂଳି ପକାଇବାକୁ ମଧ୍ୟ ମୁଁ କେବେ ଚେଷ୍ଟା କରି ନାହିଁ । ମୁଁ ଜାଣେ ମୋର ଯୌବନ, ରୂପ, ଦେହ ଓ ମନ ଅଛି । ଏହାର ପୂର୍ଣ୍ଣାହୁତି ଦେବା ପାଇଁ ନାରୀ ଭାବରେ ମୁଁ ସ୍ଵାଧୀନା…ହଁ, ତମେ ସେ ରାତିରେ ଏମିତି ଯେ କାହିଁକି ଆସିଥିଲ ମୋର ଅବୁଝା ରହିଲା । ତମକୁ ଯାହା ଦେବାର ଦେଲି; ମାତ୍ର ଜାଣ କିପରି ? ଯେପରି ଭିଖାରୀକୁ ମୁଠାଏ ଭାତ ଆମେ ଖଲିପତ୍ରରେ ଫୋପାଡ଼ିଦେଉଁ । କାହିଁକି ଜାଣ ? ତମେ ଯେତେବେଳେ ମୋ ପାଖକୁ ଆସିଥିଲ, ସେତେବେଳେ ଆଉ ମୋ ଦେହରେ ଉତ୍ତାପ ନ ଥିଲା, ଓଠରେ ନାଲି ନ ଥିଲା, ଆଖିରେ ଜ୍ୟୋତି ନ ଥିଲା । ମୁଁ ଥିଲି, ମାତ୍ର ମୋର ଅନ୍ତରାତ୍ମା ଶୁଖି ମରି ଯାଇଥିଲା… ମୁଁ ଥିଲି ଡେମ୍ପ ଛିଣ୍ତା ଫୁଲ ଭଲି ସତେଜ । ପାଣିରୁ ମାଛକୁ ଆଣି ଶୁଖିଲାରେ ରଖିଲେ ସେ କିଛି ସମୟ ପାଇଁ ଛଟପଟ ହୁଏ । ଯାହାକୁ ମୋର ଅଦେୟ କିଛି ନ ରହିବା କଥା, ସେ କାହିଁକି ଏପରି ଲୁଚି ଲୁଚି ଆସେ ?

 

ଆନନ୍ଦ ଲଜ୍ଜିତ ହୋଇ ତଳକୁ ଅନାଇଲେ ।

 

ଲଜ୍ଜିତ ହେଉଛ ? ଏଠି ତମର ଆଉ ମୋର ଦେଖିବାରେ ଫରକ । ମଣିଷ ଦେହ, ମନ, ରୂପ, ଯୌବନ ପାଇଚି କାହିଁକି ? ବିରାଟ ଆକାଶ ତଳେ ଫୁଲ ଫୁଟି ଗଛରେ ଆପେ ଆପେ ଝଡ଼ିବା ଦୁଃଖ, ବେଦନା କେହି କବି ଅନୁଭବ କଲେ ନାହିଁ, ବରଂ ଫୁଲର ମାଳାବିଦ୍ଧ ହେବା କବିଙ୍କ ଆଖିରେ ଯନ୍ତ୍ରଣାଦାୟକ ହେଲା । କି ବିପରୀତ କଥା ? କାହାର ସହିତ କାହାର ସମ୍ପର୍କ ରହିବ ନାହିଁ; କେହି କାହା ପାଇଁ ଦୁଃଖ, ବେଦନା ଅନୁଭବ କରିବେ ନାହିଁ; ବିରହ, ମିଳନ ରହିବ ନାହିଁ; ବେଦନା, ଅଶ୍ରୁ ମରିଯିବ, ତେବେ ଏ କି ପ୍ରକାରର ସୃଷ୍ଟି ହେବ ? ଏସବୁ ବ୍ୟର୍ଥ କଳ୍ପନା ! ଏସବୁ ଅଳସୁଆଙ୍କ ଅକାମି ଖିଆଲ ।

 

ମାଧବୀ ଟିକିଏ ରହି ପୁଣି ଉତ୍ତେଜନା ସହ କହିବାକୁ ଲାଗିଲା—ଆଉ ଜାଣ, ସେଥିପାଇଁ ମୁଁ ସ୍ଵାମୀ ହରାଇ ବୈଧବ୍ୟର ଦୁଃଖ ଅନୁଭବ କରି ନାହିଁ, ବରଂ ବହୁ ଯୁବକଙ୍କ ଶଯ୍ୟାରେ ଅଙ୍କଶାୟିନୀ ହେବା ସୌଭାଗ୍ୟ ଓ ମର୍ଯ୍ୟାଦା ଅନୁଭବ କରିଛି । ଏହି ଜୀବନକୁ ତମେ ବୃଥା କହିବ, ମୋତେ ପାପୀ ବୋଲି କହିବ, ସମାଜ ବ୍ୟଭିଚାରିଣୀ ବୋଲି ଅପବାଦ ଦେବ; ମାତ୍ର ମୋ ପକ୍ଷରେ ଏହାହିଁ ଚରମ ସତ୍ୟ ଓ ପୁଣ୍ୟ ବାସ୍ତବ । ଏ କାହା ପକ୍ଷରେ କଳଙ୍କ ହୋଇପାରେ, ମୋର କିନ୍ତୁ ଭୂଷଣ ଓ କୁସୁମ ।

 

ଆନନ୍ଦ ବିସ୍ମତ ହୋଇ ମାଧବୀ ମୁହଁକୁ କେବଳ ବଲବଲ ହୋଇ ଚାହିଁରହିଲେ ।

 

ଆଉ ଦେଖ, ମୁଁ ଯାହାକୁ ସତ୍ୟ ଓ ବାସ୍ତବ ବୋଲି ଧରିନେଇଛି, ସେଠାରେ ମୁଁ ପ୍ରତାରଣା ଖେଳି ନାହିଁ । ଥରେ ନୁହେଁ, ମୁଁ ନଅଥର ଗର୍ଭବତୀ ହୋଇଚି । ସମାଜ ଭୟରେ ମୋର ପୁଅ ଝିଅଙ୍କୁ କେବେ ମାରି ଦେଇ ନାହିଁ କିମ୍ଵା ଲୁଚେଇ ନାହିଁ । ଯାହାକୁ ମୋର ଦାବୀ ରୂପେ ମୁଁ ଗ୍ରହଣ କରିଛି, ସେ ଦାବୀର ଦାୟିତ୍ଵ ମୁଁ ଏଡ଼ାଇବି ବା କାହିଁକି ? ବାଦୀ ବାଢ଼ି ଯଦି ଦାୟିତ୍ଵ ଏଡ଼ାଏ, ତେବେ ମୋ ବ୍ୟକ୍ତିତ୍ଵର ମୂଲ୍ୟ ଓ ମର୍ଯ୍ୟାଦା ଆଉ କ’ଣ ରହିଲା ? ଆଉ, ଏହି ନବମ ସନ୍ତାନ-

 

ମାଧବୀ ଏହା କହୁଁ କହୁଁ ଆନନ୍ଦ ଦେଖିଲେ ଯେ ମାଧବୀ କାଖରେ ଏକ ଶିଶୁ । ଶିଶୁଟି ଦେଖିବାକୁ ହୃଷ୍ଟପୁଷ୍ଟ ହେଲେ ମଧ୍ୟ ସେ ବେକ ଭାଙ୍ଗି ମା’ର କାଖରେ ଝୁଲିପଡ଼ିଚି । ତାର ଦେହରେ ଯେ ପ୍ରାଣ ନାହିଁ, ଏହାହିଁ ଯଥେଷ୍ଟ ନିଦର୍ଶନ । ତଥାପି ମୃତ ଶିଶୁ ଜୀଅନ୍ତା ଭଳି ତ ? ସେମିତି ହାତ, ଗୋଡ଼…ନାହିଁ କେବଳ ଜୀବନ । ଶିଶୁଟି ମରିଥିଲେ ମଧ୍ୟ ମାଧବୀ ତାକୁ ଛାଡ଼ିପାରି ନାହିଁ । କାରଣ ଶିଶୁ ମା ଦେହର ଦେହ, ରକ୍ତର ରକ୍ତ ।

 

ଏହି ନବମ ସନ୍ତାନ ପାଇଁ ମୁଁ ପ୍ରାଣ ଦେଲି । ମୁଁ ମୃତ୍ୟୁକୁ ବରଣ କଲି ମୋର ଶିଶୁ ପାଇଁ-। ଏଥିରେ ହିଁ ମା’ର ଆନନ୍ଦ ଓ ପରିତୃପ୍ତି । ଆଉ ତମେ ଭୀରୁ, କାପୁରୁଷ ଭଳି ଗେରୁଆ ପିନ୍ଧି ସନ୍ନ୍ୟାସୀ ହୋଇଛ, କାହିଁକି ? ବାସ୍ତବକୁ ଡରି…

 

ଏଁ, ତମେ ମରିଯାଇଚ ମାଧବୀ ! ତେବେ ତୁମେ ପ୍ରେତ !

 

ହଁ, ମୁଁ ପ୍ରେତ ହୋଇ ମଧ୍ୟ ପ୍ରେମ ଭୁଲି ନାହିଁ । ମୁଁ ବଞ୍ଚିବାକୁ ଚାହେଁ ତମର ଏହି ଗେରୁଆପିନ୍ଧା ମନଗହୀର ତଳେ । ସେଥିପାଇଁ ମୁଁ ଆସିଚି ।

 

ନାରୀ ପୁରୁଷ ମନରେ ବଞ୍ଚେ…ନାରୀ ବଞ୍ଚେ ସନ୍ନ୍ୟାସୀର ଗେରୁଆଲୁଗା ପିନ୍ଧା ଅନ୍ତରାଳରେ..ସେ ହୁଏ ରାଧା, ଗୋପୀ, ଲଳିତା…

 

ଜୀବନ-ବୃନ୍ଦାବନ ଛାଡ଼ି ଏକ କାଳ୍ପନିକ ଅବାସ୍ତବ ବୃନ୍ଦାବନ ଗଢ଼ୁଛ କିଆଁ ସନ୍ନ୍ୟାସୀ ?

 

ଆନନ୍ଦଙ୍କ ମୁହଁରେ ଚିନ୍ତାର ଛାଇ ଆକାଶରେ ଆଜି ଯେମିତି ମେଘ ଢାଙ୍କିଚି ଶୁଭ୍ର ଚାନ୍ଦକୁ । ଏକ ପେଚା କେଁ କେଁ ଶଦ୍ଦ କରି ଗଛ ଡାଳରୁ ଉଡ଼ିଗଲା । ନାରୀମୂର୍ତ୍ତିଟି ଛାଇ ଭଳି କେଉଁଆଡ଼େ ମିଳେଇଗଲା । ସ୍ଵାମୀ ଆନନ୍ଦଙ୍କ ନିଦ ଭାଙ୍ଗିଲା ପରା ! ନା, ସେ ପୁଣି କଡ଼ ଲେଉଟାଇ ଶୋଇଲେ ।

 

(୩)

 

ଝଡ଼ ପରେ ଶାନ୍ତ ଆକାଶରୁ ଅନ୍ଧାର ମଧ୍ୟ ଘୁ଼ଞ୍ଚି ଯାଇଥିଲା । ଶୁଭ୍ର ଜ୍ୟୋତ୍ସ୍ନାରେ ନଈର ଶୁଖିଲା ବାଲି ମଧ୍ୟ ହସି ଉଠିଥିଲା ! ଯେଉଁଠି କ୍ଷଣକ ପୂର୍ବରୁ ଗାଢ଼ ଅନ୍ଧାର ରାଜୁତି କରୁଥିଲା, ସେଇଠି କ୍ଷଣକ ପରେ ଜ୍ୟୋତ୍ସ୍ନାର ଲୀଳାଖେଳା…ଶୁଭ୍ର ଢେଉ । କି ବିଚିତ୍ର ! କୁହୁକଦିଆ ଏହି ପୃଥିବୀ ଓ ପ୍ରକୃତି ! ଆନନ୍ଦ ଶୋଇପଡ଼ିଥିଲେ ମଧ୍ୟ ଯେପରି ତାଙ୍କ ଆତ୍ମା ଏହି ପ୍ରାକୃତିକ ଶୋଭା ପ୍ରଭାବରେ ପରିତୃପ୍ତ ଅନୁଭବ କରୁଥିଲେ । ଗଛ ଫାଙ୍କରେ ଜ୍ୟୋତ୍ସ୍ନା ଆସି ତାଙ୍କ ମୁହକୁ ଉଜ୍ଜ୍ଵଳ କରିଥିଲା । ନୀରବ, ନିଶଦ୍ଦ ରାତିରେ ଶୁଭଜ୍ୟୋତ୍ସ୍ନାର ଅସରନ୍ତି ଖେଳ ଲାଗିଥିଲା । କିଛିକ୍ଷଣ ପରେ ଏକ ଚଢ଼େଇର ଶଦ୍ଦ ଭଳି ଶଦ୍ଦ ଶୁଣାଗଲା । ଆନନ୍ଦ ସ୍ଵପ୍ନରେ ଆଖି ଖୋଲି ଦେଖିଲେ ଯେ ତାଙ୍କର ଦକ୍ଷିଣ ପାଖକୁ ଆଉ ଏକ ନାରୀମୂର୍ତ୍ତି ଛିଡ଼ା ହୋଇଛି । ଏ ନାରୀ ନିଶ୍ଚୟ ମାଧବୀ ନୁହେଁ !

 

ଯୌବନର ରୂପଶ୍ରୀ ଯୁବତୀଙ୍କର ଅତୁଟ ରହିଛି । ଦେହରେ ସରଳ ଶୁଭ୍ର ଶାଢ଼ୀ ଖଣ୍ତିଏ, ଶିରରେ ଅଯତ୍ନ କେଶରାଶି ଆଲୁଳାୟିତ । ଭରପୂର ଗଣ୍ତଯୁଗଳରେ ବର୍ତ୍ତମାନ ବି ଗୋଲାପୀ ଆଭା-। ହରିଣ ଚକ୍ଷୁ ଭଳି ଆକର୍ଣ୍ଣବିସ୍ତୃତ ଆଖି ଦୁଇଟି ଯେପରି ତୀକ୍ଷ୍‌ଣ ବୁଦ୍ଧି ଓ ମେଧାର ପ୍ରତୀକ-। ଚକ୍ଷୁର ଜ୍ୟୋତିରେ ଯେପରି ଏକ ଅପାର୍ଥିବ ଆକର୍ଷଣ ଅଛି । ଦେହ ସୁଗଠିତ । ନାରୀ ଦେହରେ ଅଳଙ୍କାର କିଛି ନାହିଁ । ଆନନ୍ଦ ଏହି ନାରୀମୂର୍ତ୍ତି ଦେଖି ଚିନ୍ତା କରିବାକୁ ଲାଗିଲେ ।

 

ହଁ, କେଉଁଠି ତ ଦେଖିଛନ୍ତି !

 

ନାରୀ ହସିବାକୁ ଲାଗିଲା । ତାର ବଧୁଲୀ ଅଧରକଣରେ ଚୋରା ହସ ଖେଳିବୁଲିଲା । “ଚିହ୍ନିବାକୁ ଏତେ କଷ୍ଟ, ଯାହା ସହିତ ଦୀର୍ଘ ବାର ବର୍ଷର ଯୌବନ-ଲୀଳା ଲାଗି ରହିଥିଲା… !’’

 

କିଏ, ସୌଭାଗ୍ୟବତୀ ?

 

ହଁ, ନିଜ ନାଆଁଟି ବି ଆଜି ମୋର ଏକ ବିଦ୍ରୂପ !

 

ବିଦ୍ରୂପ ? କ’ଣ ହେଲା ତମର ? ତମେ ପୁଅ ଝିଅର ମା ହୋଇଥିଲ, ସୌଭାଗ୍ୟବତୀ !

 

ହଁ, ହୋଇଥିଲି । ନାରୀର ବାହାର ଓ ଭିତର ମନ ମଧ୍ୟରେ ଆକାଶ ପାତାଳ ଫରକ ଥାଏ ! ନାରୀର ଏହି ଭିତର ମନ ଦୁନିଆରେ ବୁଝନ୍ତି କେତେ ଜଣ ?

 

ଆଉ ପୁରୁଷର ?

 

ନାରୀ କ୍ଷଣକେ ବୁଝେ ।

 

ପୁରୁଷ କ’ଣ ବୁଝେନା ?

 

ହଁ, ବୁଝେ; ମାତ୍ର ତାର ଅହଂପଣିଆ ତାକୁ କରେ ସଇତାନ । ପୁରୁଷ ପାଲଟେ ଅସୁର । ନିଜର ଅହଂ ବଜାଏ ରଖିବା ପାଇଁ ନାରୀର ପ୍ରାଣ ପାଏ ବଳି; କାରଣ ବହୁ ଗଲା ଯୁଗରେ ପୁରୁଷ ନାରୀକୁ ଏକ ବ୍ୟକ୍ତିତ୍ଵହୀନ ଖେଳନା ବୋଲି ହେୟ ଓ ହେଳା କରିଆସିଚି । ପଢ଼ ସଂଯୁକ୍ତା ଉପାଖ୍ୟାନ ! ପୃଥ୍ଵୀରାଜ ହୁସିଆର ହୋଇ ନ ଥିଲେ ସଂଯୁକ୍ତାଙ୍କର ପରିଣତି କ’ଣ ହୋଇଥାନ୍ତା ? କିନ୍ତୁ ଯେଉଁ ବାପମା ସଂଯୁକ୍ତାଙ୍କୁ ଏତେ ଗେଲବସରରେ ବଢ଼ାଇଥିଲେ, ସେମାନେ କ’ଣ ସଂଯୁକ୍ତା-ହୃଦୟ କଥା ଭାବିଥିଲେ ! ନା, ସେମାନେ ସେମାନଙ୍କ ମାନ, ମର୍ଯ୍ୟାଦା, ସ୍ଵାର୍ଥ ଘେନି ବ୍ୟସ୍ତ ଥିଲେ । ନାରୀର ବେଦନା କେହି ଭାବେନା, ବୁଝେନା… ।

 

ବୁଝି କି ଲାଭ, ଯଦି ପରିତ୍ରାଣ ପାଇଁ ପ୍ରତିକାର ନ ଥାଏ ?

 

ପରିତ୍ରାଣ, ପ୍ରତିକାର, ସେଇଟା ଆମ ହାତରେ ?

 

ତାହା କ’ଣ ତମେ କଲ ?

 

ମୁଁ ଏକ ନିରୀହା ନାରୀ । ସମାଜର ସୋପାନ ତଳେ ବନ୍ଦିନୀ ଯେ– !

 

ବନ୍ଧନ ଛିଡ଼ାଇ ଯେ ତମେ ମୁକ୍ତିର ସ୍ଵାଦ ରଖିଥିଲ ?

 

ତାହା ପାଳିତ ପକ୍ଷୀର ସ୍ଵାଧୀନତା, ବନବିହଙ୍ଗମର ନୁହେଁ ।

 

ଆଜି ?

 

ଯେଉଁଆଡ଼େ ତମେ— ।

 

ମୁଁ ଯେ ତମକୁ ବହୁଦିନରୁ— ।

 

ଭୁଲିଛ ? ମିଛ କଥା । ଦୁନିଆ ଆଖିରେ ଧୂଳି ଦେଇପାର, ନାରୀ ଆଖିରେ ନୁହେଁ— ।

 

କହୁଥିଲି—ତମକୁ ଦେଖି ନାହିଁ ।

 

ହଁ, ଆଖିରେ ଦେଖି ନାହିଁ, ମାତ୍ର ?

 

ମାତ୍ର କ’ଣ ? ମନ ଓ ପ୍ରାଣରେ ଆଉ ବାନ୍ଧିରଖିବା କି ପ୍ରୟୋଜନ ? ପ୍ରୟୋଜନ ବିଚାର କରି ପ୍ରାଣ ପ୍ରେମ ବିନିମୟ କରେ ନାହିଁ । ପ୍ରେମ ! ତାହା ତ ପୋଡ଼ି ପାଉଁଶ ହୋଇଛି ଆମର ।

 

ପାଉଁଶ ପଛରେ ମଧ୍ୟ ନିଆଁ ଥାଏ ଏବଂ ଖତ ଗଦାର ପାଉଁଶ ଭିତରୁ ସେହି ନିଆଁ ମଧ୍ୟ ବାସଗୃହକୁ ପୋଡ଼ି ପାଉଁଶ କରି ଦେଇପାରେ । ତାହା ହିଁ ହୋଇଛି ମୋର ।

 

ତମର ? ସୌଭାଗ୍ୟବତୀ, କ’ଣ କହୁଛ ?

 

ମନେପଡ଼ୁଛି ଯେଉଁଦିନ ତମେ ଆମ ଘରକୁ ଯାଇଥିଲ ଏବଂ ମୋର ନାଁ ଶୁଣି କହିଥିଲ–ନାଁଟା ବଡ଼ ଦୀର୍ଘ ଏବଂ ଏକ ସଂକ୍ଷିପ୍ତ ନାଁ ତମେ ତମ ଉର୍ବର ମସ୍ତିଷ୍କରୁ ବାହାର କଲ–“ଶୁଭ” । ସେଦିନୁ ମୋତେ ତ କେବେ ସୌଭାଗ୍ୟବତୀ ଡାକି ନାହିଁ, “ଶୁଭ” ବୋଲି ଡାକ । ଆଜି ସେ ଦୀର୍ଘ ନାଁ ଧରି କିଆଁ ଡାକୁଛ ? କାନକୁ ଭଲ ଶୁଭ ନାହିଁ । ‘ଶୁଭ’ ବୋଲି ଡାକ । ସେହି ସୁଖ ଓ ଶୁଭ ଦିନର ସ୍ମୃତି ଅନ୍ତତଃ ଆଜି ଫେରିଆସୁ ସ୍ଵପ୍ନରେ ।

 

ହଁ ଶୁଭ ! ସେଦିନ ତ ଯାଇଛି ।

 

ନାଁ, ଯାଇ ନାହିଁ । ଯେଉଁ ସୂର୍ଯ୍ୟ ଅସ୍ତ ହୁଏ, ସେ ଅନ୍ୟ ଦେଶରେ ଉଦୟ— ଉତ୍ସବ ରଚନା କରେ । ଝଡ଼ା ଫୁଲର ମଉଳା— ଦୃଶ୍ୟ ପଛରେ ସୁବାସ ରହିଥାଏ ନିର୍ଯ୍ୟାସ ହୋଇ ।

 

ତମେ ସେହିପରି ବ଼ଞ୍ଚିବାକୁ ଚାହିଁ ? ସଜଫୁଲ ରୂପରେ ମଣିଷ ଯାହାକୁ ହରାଏ, ତାକୁ ଅତର ରୂପରେ ପାଇ କ’ଣ ସେ ସନ୍ତୁଷ୍ଟ ହେବ ? ଏ କଳ୍ପନା-ବିଳାସ ଶୁଭ !

 

କଳ୍ପନା ? ମଣିଷଜୀବନ ପୂରା ନିଚ୍ଛକ ବାସ୍ତବ କିମ୍ଵା କଳ୍ପନା ନୁହେଁ—

 

ହଁ, ତେବେ ଏହା ବାସ୍ତବ ଓ କଳ୍ପନା ମଧ୍ୟରେ ଅଧା ବାସ୍ତବ— ଅଧା କଳ୍ପନା ।

 

ତମେ କହୁଛ କବିଙ୍କ ନାରୀ ପରିକଳ୍ପନା ଭଳି । ମାତ୍ର ତମେ ମୋର ଅଧା-ଦେଖା ସ୍ଵପ୍ନ ଭଳି ରହିଗଲ ଜୀବନରେ… ।

 

ଉଭୟଙ୍କ ମୁହଁ ଗମ୍ଭୀର ।

 

ମନେପଡ଼ୁଛି, ତମେ ଯାଇଥିଲ ତମ କଲେଜ ବନ୍ଦ ସମୟରେ ଛୁଟିଟା ଆନନ୍ଦରେ କଟାଇବାକୁ ଆମ ଗାଁକୁ । ତମ ଭାବ-ପୂର୍ଣ୍ଣ ଲେଖା, ହସ ହସ ମୁହଁ, ଖେଳ— କୌତୁକ, ସରଳ ସରସ ଜୀବନ ମୋ ପକ୍ଷରେ ଏକ ଅପୂର୍ବ ଆନନ୍ଦର ସାମଗ୍ରୀ ଥିଲା । ତମେ ସବୁବେଳେ ଉଦାସ । ତମେ ମୋ ମୁହଁକୁ ଚାହଁ ନାହିଁ, ମୋ ଆଖିର ଭାଷା ବୁଝ ନାହିଁ । ଏହି ଥିଲା ମୋର ଦୁଃଖ— ଅକୁହା ବେଦନା… । ଯେଉଁମାନେ ନାରୀର ଆଖିକୁ ନ ଦେଖି ନାରୀଙ୍କ ସଙ୍ଗେ ବନ୍ଧୁତା ବାନ୍ଧିବସନ୍ତି, ସେମାନେ ଠକନ୍ତି ।

 

ସେଥିପାଇଁ ତ ମୁଁ ଠକିଲି ।

 

ତମେ ଠକିଲ ? ନା, ନା…

 

ତମେ ତ ମୋର ସମସ୍ତ ପ୍ରେମ ପ୍ରତ୍ୟାଖ୍ୟାନ କରି ଅନ୍ୟତ୍ର ବିବାହ କଲ…ମା ହେଲ ।

 

ମନେ ମନେ ମୁଁ ସ୍ଥିର କରିନେଲି ତମେ ସୁଖୀ ହେଲ । ସେହି ଥିଲା ତମର ଭ୍ରମ । ଯାହାକୁ ମଣିଷ ସତ ବୋଲି ଭାବେ, ତାହା ହୁଏତ ଥାଏ ମରୀଚିକା । ଯାହା ମଣିଷ ମାୟା, ମିଥ୍ୟା ବୋଲି ହସରେ ଉଡ଼ାଇଦିଏ, ହୁଏତ ସେଇଠି ଥାଏ ସତ୍ୟର ନିର୍ମମ ସୁଖ ।

 

ଆନନ୍ଦ ହସି ପଚାରିଲେ— ତମର ଆଉ ମୋର ସଂପର୍କ ସତ୍ୟ ନା ମିଥ୍ୟା ଥିଲା ?

 

ସେଇଠି ସମାଜ ଭୁଲ କଲା ତା ନିଜର ସ୍ଵାର୍ଥ ପାଇଁ । ପରିବାର ଯାହାକୁ କହୁଛ, ତାହା ପ୍ରତ୍ୟେକ ବ୍ୟକ୍ତିର ଝଙ୍କି ଓ ମନର କେତେକ ରଙ୍ଗ ଘେନି ଗଠିତ । ଅନ୍ୟର ମନ-ନିକିତିରେ ମୋ ମନ-ମଣିଷକୁ ଅନ୍ୟ ଲୋକ ଓଜନ କଲେ ଓଜନ ଭୁଲ ହେବା ସମ୍ବବ । ନାରୀ ଚାହେଁ ତା ମନକୁ ଅନାଇ ମନ-ମଣିଷ । ମୋ ମନ-ମଣିଷ ମୋ ବାପାଙ୍କ ଗରଜ ହୁଏତ ମେଣ୍ଟାଇ ନ ପାରେ । ଏଇଠି ହୁଏ ସମାଜର ବିଚାରରେ ବିଭ୍ରାଟ । ପ୍ରତ୍ୟେକ ଲୋକର ତାର ପ୍ରାପ୍ୟ— ସ୍ଵାଧୀନତା ଦେଇ ଯଦି ସମାଜ, ପରିବାର ତୁନି ପଡ଼ନ୍ତେ, ତାହାହେଲେ ସମାଜ ହୁଅନ୍ତା ପରିପୂର୍ଣ୍ଣ । ଏହା ହୁଅନ୍ତା ପ୍ରେମାଲୋକରେ ଉଦ୍ଭାସିତ ପରିବାର ଓ ସଂସାର ।

 

ଏହା ମଧ୍ୟରେ ତମେ ଖୁବ୍ ପଣ୍ତିତା ହୋଇଯାଇଛ ଶୁଭ !

 

ପାଣ୍ତିତ୍ୟ ହିଁ ପୃଥିବୀକୁ ପଥରରେ ପରିଣତ-କରିଛି । ଯେଉଁମାନେ ଗୀତାର ଆର୍ଦଶରେ ଦୁଃଖ, ସୁଖରେ ଅବିଚଳିତ ରହିବାକୁ ମନ୍ତ୍ର ଉଚ୍ଚାରଣ କରନ୍ତି, ସେମାନେ ବ୍ୟକ୍ତିତ୍ଵର ମର୍ଯ୍ୟାଦାକୁ ମଧ୍ୟ ନିର୍ମମ ଭାବରେ ମାରିଦେବାକୁ ପଛାନ୍ତି ନାହିଁ । କାରଣ ସେମାନଙ୍କ ପ୍ରାଣ ମଧ୍ୟ ଏକପ୍ରକାର ପଥରରେ ପରିଣତ ହୋଇଯାଏ ।

 

ତାହାହେଲେ ତମେ ତମ ବୈବାହିକ ଜୀବନରେ ଆନନ୍ଦ ପାଇ ନାହିଁ ?

 

“ମୁଁ ତ କହି ନାହିଁ ।’’ ଶୁଭ ମୁହଁରେ ଦୁଃଖର ଛାଇ । ପୁଣି ସେ ଯୋଗକଲା, “ଇନ୍ଦ୍ରିୟ କେତେଟା ଅବଶ୍ୟ । ସେମାନଙ୍କ ଲାଳସା ମେଣ୍ଟାଇ ପାରିଛନ୍ତି ।’’

 

ଅନୁଭୂତି ଆଉ ତେବେ କ’ଣ ? ପଞ୍ଚଜ୍ଞାନ ଇନ୍ଦ୍ରିୟର ତୃପ୍ତିରେ ହିଁ ଆମେ ଆନନ୍ଦ ପାଉଁ । ମଣିଷ ଏହି ଇନ୍ଦ୍ରିୟାନୁଭୂତି ପାଇଁ ହିଁ ଦୈହିକ ସୁଖ ଖୋଜେ ।

 

ସବୁ ଇନ୍ଦ୍ରିୟଗୁଡ଼ାକ ଯେ ତୃପ୍ତି ପାଇଥିଲା, ଏହାର ଖବର ପାଇଲ କୁଆଡ଼ୁ ? କେବଳ ପଞ୍ଚଜ୍ଞାନ ଇନ୍ଦ୍ରିୟ ନୁହେଁ, ଏମାନଙ୍କ ଉପରେ ଯେ ମନ ଅଛି !

 

ଶୁଭ ! ତେବେ ତମେ ମନ ଅଶାନ୍ତିରେ ଦିନ କାଟିଛ ?

 

କାହା ପାଇଁ ?

 

ମୋର ଦୋଷ କ’ଣ କୁହ ?

 

ତମର ଦୋଷ ? ତମର ଅନାସକ୍ତ ଭାବ, ତମର ଲାଳସା-ହୀନତା । ଏହା ତମ ପୌରୁଷର ଦୁର୍ବଳତା । ତମେ ନାରୀର ମୁହଁ ଚାହିଁ ସନ୍ତୁଷ୍ଟ ! ମାତ୍ର ନାରୀ କେବଳ ମୁହଁ ଚାହିଁ ସନ୍ତୋଷ ପାଇପାରେ ନାହିଁ; ତମେ ହୁଏତ ଅତିମାନବ କିମ୍ଵା ଦେବତା ! ମାତ୍ର ମୁଁ ଜଣେ ସାଧାରଣ ନାରୀ; ଦେହ, ମନ ଘେନି ସଂସାରର ମଣିଷ । ତମେ ଆଦର୍ଶ ଭଳି ସୂକ୍ଷ୍ମ, ମୁଁ କିନ୍ତୁ ବାସ୍ତବତା ଭଳି ସ୍ଥୂଳ ଘେନି ଖେଳେ । ଆଦର୍ଶ ଓ ବାସ୍ତବର ମିଳନ ହିଁ ମର୍ତ୍ତ୍ୟକୁ ମଧୁର କରେ ! ସେ ମାଧୁରୀ ଆମ ଜୀବନରେ ମିଳିଲା କି ? ଆଚ୍ଛା, ମନେ ପକାଅ, ତମ ପାଇଁ କେତେ ସଞ୍ଜ, କେତେ ରାତି ମୁଁ ଅପେକ୍ଷା ନ କରିଚି ! ତମେ ଆମରି ଦ୍ଵାର ଦେଇ ଚାଲିଯାଅ; ମାତ୍ର ନ ଡାକିଲେଘରକୁ ଆସ ନାହିଁ । ତମେ ମୋତେ କେତେ ବାର ଦେଖ, ମାତ୍ର ମୁଁ ଆଗ କଥା ନ କହିଲେ ତମେ କଥା କହିବାର ପ୍ରୟୋଜନ ଅନୁଭବ କର ନାହିଁ ।

 

ଅକାରଣରେ କାହାକୁ ଆଘାତ କରିବା ମୋଦ୍ଵାରା ହୁଏ ନାହିଁ, ଶୁଭ !

 

ଆଘାତ ଆଉ ଆହ୍ଵାନ, ଆଲିଙ୍ଗନ ମଧ୍ୟରେ ପାର୍ଥକ୍ୟ କିଛି ନାହିଁ ?

 

ହୃଦୟକୁ ଦେବାଠାରୁ ନେବାରେ ବିପୁଳ ଆନନ୍ଦ ଅଛି । ମୁଁ ମୌନ ଦର୍ଶକ ଥିଲି ଏବଂ ତମକୁ ଗଭୀର ଭାବରେ–

 

ମୁଁ ଜାଣେ ସବୁ । ନାରୀ ଆଖିରେ ମନକୁ ଲୁଚାଇବା ବଡ଼ କଠିନ । କିନ୍ତୁ ଦୁର୍ବଳତାକୁ ଢାଙ୍କିବାକୁ ଦର୍ଶନ ରଚନା କର ନାହିଁ । ଯେତେବେଳେ ଯୌବନରେ ପ୍ରଜାପତି ପରି ଚାରିଆଡ଼େ ପ୍ରୀତି-ଗନ୍ଧରେ ମତୁଆଲା ହୋଇ ଉଡ଼ି ବୁଲୁଥିଲି, ସେତିକିବେଳେ ତମେ ଗମ୍ଭୀର ଗଛ ଭଳି ଛିଡ଼ାହେଲ ମୋ ପାଖରେ । ତମର ଡାଳରେ, ପତ୍ରରେ ମୁଁ ଯେ ଆଶ୍ରା ନ ପାଇଛି ତାହା ନୁହେଁ, କିନ୍ତୁ ମୋ ମନ ଚାହୁଁଥିଲା ଫୁଲ-ସାଥି !

 

କୁହ ! ତମେ କ’ଣ ସେ ବଂଧୁତା ଓ ମାଧୁରୀ ମୋଠାରୁ ପାଇ ନ ଥିଲ ?

 

ପାଇଥିଲି, ଅଳ୍ପକ୍ଷଣ ପାଇଁ— ବଣର ହରିଣୀକୁ ବାଟୋଇ ଦେଖିଲା ଭଳି । ତମେ କ୍ଷଣ-ଦେଖା ପରେ ଲୁଚି ଯାଉଥିଲ ବହୁକ୍ଷଣ । ତମକୁ ମୁଁ ଚାହୁଁଥିଲି ନିବିଡ଼ ଭାବରେ ମୋ ଦେହ ଓ ମନର ସାଥି ଭାବରେ । ମାତ୍ର ତମ ବ୍ୟବହାରରେ ସ୍ଵାଧୀନତା ପରିବର୍ତ୍ତରେ ଥିଲା ସଂକୋଚତା, ଉଦ୍ଦାମତା ପରିବର୍ତ୍ତରେ ଥିଲା ଉଦାସତା । ମୋର ପ୍ରାଣ ଯେତେବେଳେ ଉତ୍ତପ୍ତ, ଉଷ୍ମ, ସେତେବେଳେ ତମେ ଶାନ୍ତି ଦେଇଛ, ଆନନ୍ଦ ଦେଇଛ; ମାତ୍ର ମୋ ମନରେ ମଦିରା ଢାଳିପାରି ନାହଁ… ।

 

କାହିଁକି ଜାଣ ?

 

ହଁ, ତାହା ବି ଜାଣେ । ତମେ ଥିଲ ଖାନଦାନ୍ ପରିବାରର ଏକ ସୌଖୀନ ସଙ୍ଗୀତ ! ତମର ଆବାହନ ସବୁଠି ହୋଇପାରିବା ସମ୍ଭବ ନ ଥିଲା । ପରିବେଷ୍ଟନୀର ଯଥାଯଥ ପରିବେଶ ବ୍ୟତୀତ ତମର ଆବିର୍ଭାବ ଅସମ୍ଭବ ଥିଲା ।

 

ଏହା କ’ଣ ମୋର ଦୋଷ ନା ଗୁଣ ?

 

ସୌଭାଗ୍ୟବତୀ ହସିବାକୁ ଲାଗିଲା ।

 

ଏହା ସତ୍ତ୍ଵେ ମୁଁ ତମକୁ ଗଭୀରଭାବରେ ସୁଖ ପାଇଥିଲି । କାରଣ ତମ ବ୍ୟକ୍ତିତ୍ଵର ଅବୋଧ୍ୟ ରହସ୍ୟ ଭେଦ କରିବା ମୋ ଯୁବତୀ-ଜୀବନର ସବୁଠାରୁ ବଡ଼ ପ୍ରିୟତମ କାର୍ଯ୍ୟ ଥିଲା ।

 

ଅବୋଧ୍ୟ ରହସ୍ୟ ପଛରେ ଧାଇଁଥିଲ କାହିଁକି ତେବେ ?

 

ଏଭରେଷ୍ଟ ଜୟ ପାଇଁ ମଣିଷ ବାରମ୍ଵାର ଚେଷ୍ଟା କରିଚି କାହିଁକି ?

 

ଏହା ଏକ ଗିରିଶୃଙ୍ଗ ମାତ୍ର । ହୁଏତ ତୁଷାର, ତୋଫାନ କିମ୍ଵା ମେଘାବୃତ ଶୃଙ୍ଗରେ ଥରେ ଅଧେ ପଡ଼ୁଥିବା ସୂର୍ଯ୍ୟର ସ୍ଵର୍ଣ୍ଣ ରଶ୍ମି ରେଖା । ଏହାର ଜୟ-ପରାଜୟରେ ମଣିଷର ଯାଏ ଆସେ କେତେ ?

 

ଶୁଭ ! ତମେ ଉପମାଟାକୁ ଓଲଟାଇ ଦିଅ । ତମେ ଥିଲ ମୋ ଆଗରେ ଚିର ମୌନା— ଆନନ୍ଦର ଏକ ଜୀବନ୍ତ ଶୃଙ୍ଗ ।

 

କଥା ବେଶ୍ ସଜାଇ କହିଆସେ ।

 

ଆସେ ନାହିଁ ବୋଲି ତ ତମକୁ ହରାଇଲି ।

 

ମୋତେ ହରାଇଲ ? ନା-ନା, ତମକୁ ମୁଁ କେବେ ହରାଇ ନାହିଁ । ଯାହା ଭସ୍ମୀଭୂତ ହୁଏ, ସେହି ଦେହ ଆମେ ହରାଇଛେ । ବଞ୍ଚି ଥାଉଁ ଥାଉଁ ଏହାହିଁ କ୍ଷୋଭ । ନା, ଦେହାତୀତ ହୋଇଚି ଆମର ପ୍ରେମ, ଯାହା ସତ୍ୟ ଶାଶ୍ଵତ ଓ ଶିବମୟ । ତମ ଲାଗି ଏହି ଶୁଭ-ଅନୁରାଗ ଓ ପବିତ୍ର ପ୍ରେମ ମୋ ହୃଦୟର ଶିରାପ୍ରଶିରାରେ ଭରିରହିଚି । ଜାଣ, ତମର ସବୁ ଖବର ମୁଁ ରଙ୍କୁଣୀଙ୍କ ଭଳି ଅତି ଯତ୍ନରେ ସାଇତି ରଖେ, ପଚାରି ବୁଝେ… ।

 

ଲାଭ ?

 

ଲାଭ, କ୍ଷତିର ବ୍ୟବସାୟ ଏ ନୁହେଁ । ଏହା ନାରୀ-ମନର ଖିଆଲ । ଏହାର ନାଁ ପ୍ରେମ । ଅନ୍ୟକୁ ମନ ଖୋଲି ନିଜର କରିବା ହିଁ ପ୍ରେମ । ପ୍ରେମ ଜଣେ ବ୍ୟକ୍ତିକୁ ନିଜର କରିପାରେ କିମ୍ଵା ସାରା ଦୁନିଆକୁ… ।

 

ବାଃ, ତେବେ ତ ତମେ ବନ୍ଧନ ଛିଡ଼ାଇପାରିଛ ?

 

ନା, ପାରି ନାହିଁ । ନାରୀ ବନ୍ଧନ ଛିଡ଼ାଇବାକୁ ଚାହେଁ ନାହିଁ । ନାରୀ ପ୍ରେମ ବନ୍ଧନ ମଧ୍ୟରେ ମୁକ୍ତିର ଚରମ ସ୍ଵାଦ ଚାଖେ । ନିଜକୁ ଭୁଲିବାର ଏହି ଯେ ମହତ୍ତ୍ଵ, ନିଃସ୍ଵାର୍ଥ ତ୍ୟାଗ, ଏହାରି ମଧ୍ୟରେ ନାରୀର ପ୍ରାଣ ପ୍ରେମ-ଚନ୍ଦନରେ ପବିତ୍ର ହୋଇଉଠେ… ନାରୀ ହୁଏ ଦେବୀ । ତାର ହୃଦ-ମଣ୍ତଳରେ ମଣ୍ତି ହୋଇଯାଏ କଲ୍ୟାଣର ଫୁଲ-ଚନ୍ଦନ ।

 

ତେବେ ଦାନବୀ କଳଙ୍କ ସେ ଲାଭ କରେ କାହିଁକି ?

 

ସେ ବି ଠିକ୍ । ନାରୀ ଯାହାକୁ ପ୍ରେମ ଦିଏ, ତା ପାଖରେ ସେ ହୁଏ ଦେବୀ । ଯାହାକୁ ପ୍ରେମହୀନ ଦେହ ଦିଏ, ତାହା ପାଖରେ ହୁଏ ଦାନବୀ…ବାଘୁଣୀ; ଯାହା ତୁଳସୀ ଦାସ ଚିତ୍ର କରିଚନ୍ତି । ଗରଳ ଓ ଅମୃତ ଏକ ଆଧାରରେ ନାରୀ ସବୁ ଯୁଗରେ ଧରିଚି ।

 

ସାବାସ୍ ! ଆନନ୍ଦ ଆନନ୍ଦରେ ହସିଉଠିଲେ । ସୌଭାଗ୍ୟବତୀ ଗମ୍ଭୀର ହେଇଗଲା ।

 

ସୌଭାଗ୍ୟବତୀର ଆଖି ଦୁଇଟି ଉଜ୍ଜ୍ଵଳ ଦେଖାଗଲା । ମୁଖ-ମଣ୍ତଳରେ ଯେପରି ଏକ ସ୍ଵର୍ଗୀୟ ଆଭା ! ସମସ୍ତ ଅଙ୍ଗପ୍ରତ୍ୟଙ୍ଗରୁ ଯେପରି ଏକ ଜ୍ୟୋତିସ୍ଫୁଲିଙ୍ଗ ଫୁଟିପଡ଼ୁଚି । ଆନନ୍ଦ ସୌଭାଗ୍ୟବତୀଙ୍କୁ ଦେଖୁ ଦେଖୁ ଆଖି ବୁଜିଦେଲେ, ଯେପରି ସେ ଧ୍ୟାନମଗ୍ନ ।

 

ହଠାତ୍ ସୌଭାଗ୍ୟବତୀର ଚେହେରା ବଦଳିଗଲା । ସେ ଆନନ୍ଦଙ୍କ ଧ୍ୟାନ ଭାଙ୍ଗି ପଚାରିଲା, “ତମେତ ପ୍ରେମିକାକୁ ଦେବୀ ଭାବି ଧ୍ୟାନମଗ୍ନ ହେଲ, ଏଠାରେ ମୋର ରହିବା ଆଉ କି ପ୍ରୟୋଜନ ? ମୋର ଯେ କିନ୍ତୁ ଆଶା ମେଣ୍ଟି ନାହିଁ… !

 

ଆନନ୍ଦ ଆଖି ଖୋଲି ଦେଖିଲେ ତାଙ୍କ ଆଗରେ ପୁଣି ସେ ଲାସ୍ୟ-ହାସ୍ୟମୟୀ ଶୁଭ ।

 

ସୌଭାଗ୍ୟବତୀ ଆରମ୍ଭ କଲା, “ଆସ, ଆସ, ଆମେ ସବୁ ଆମର ମଧୁ-ସ୍ମୃତି-ଯୁକ୍ତ ରମଣୀୟ ସ୍ଥାନମାନଙ୍କୁ ଉଡ଼ିଯିବା ।’’

 

ସେ ସମୟ ଥିଲା ଦକ୍ଷିଣା ପବନର ଦିନ । ଆମ୍ଵଗଛରେ ବଉଳର ମଞ୍ଜରୀ । ସୁଛାୟାମଣ୍ତିତ ଆମ୍ରକୁଞ୍ଜତଳେ ଥପ ଥପ ହୋଇ ମହୁ ଝରି ପଡ଼ୁଥିଲା । ସେହି ସିଗ୍‌ଧ ସୁନୀଳ ଆକାଶରେ ରଶ୍ମି ଥିଲା କଅଁଳିଆ । ଆମେ ଯାଉଥିଲେ ଆମ୍ଵ ବଗିଚାର ମହକ-ଭରା ଛାଇ ତଳେ । ଆମ ଗୋଡ଼ ତଳେ ମଧୁ-ଗନ୍ଧଭରା ଧରଣୀର କଅଁଳ ମାଟି ଓ ଶାଗୁଆ ଦୁବଘାସ । ଆମେ ଦୁଇଟି ପକ୍ଷୀ ଭଳି ଉଡ଼ି ଯାଉଥିଲେ ଆମ ଆତ୍ମାର ଡେଣା ମେଲାଇ ।

 

ଆତ୍ମାର ଡେଣା ?

 

ହଁ, ତାହାର ଅନ୍ୟ ନାମ ପ୍ରେମ । ସେଦିନ ସଞ୍ଜବେଳେ ଆମେ ଯେତେବେଳେ ତମକୁ ବିଦାୟ ଦେଇ ଫେରିଗଲୁ କେନାଲ କୂଳୁ, ଜାଣିଚ ମୋ ମନ କ’ଣ ହେଉଥିଲା ? କେନାଲର କାଠ ବାଡ଼ ଡେଇଁ ପାଣି ଯେପରି ଡେଇଁ ପଡ଼ୁଥିଲା କାହାକୁ ନ ମାନି, ମୁଁ ଭାବୁଥିଲି ସେମିତି ମୁଁ ଡେଇଁପଡ଼ିବି । ବାପା, ବୋଉ, ଭାଇ ଏମାନେ କାଠ ତକ୍ତା ଭଳି ରହିଯିବେ । ମୁଁ ବାରମ୍ଵାର ଭାବୁଥିଲି ତମେ ବୋଉଙ୍କୁ କହନ୍ତ ଓ ତମ ସଙ୍ଗରେ ଅନ୍ତତଃ ମୁଁ କଟକ ଆସନ୍ତି କିମ୍ଵା ଭାଇଙ୍କୁ ଘେନି ତମ ଘର, ଗାଁ ବୁଲିଆସନ୍ତି । ତମର ସାଥି ହେବା ପାଇଁ ମୋ ମନରେ କି ବ୍ୟାକୁଳତା ! ଅଗନା ଅଗନି ବନସ୍ତ, ସାତ ସମୁଦ୍ର, ତେର ନଈ ମଝିରେ ଥିବା ନିକାଞ୍ଚନ ଦ୍ଵୀପ, କେଉଁଠି ମୋର ଭୟ ଭୟ ନାହିଁ, ଯଦି ତମେ ମୋ ପାଖରେ ଅଛ । ଯେଉଁଠି ପ୍ରେମ, ସେଠାରେ ଭୟ ନ ଥାଏ ।

 

ଆଜି ସେ ଗଲା କଥା ତ ମରିଚି, ତାକୁ ପୁଣି ସ୍ମରଣ କରି କି ସୁଖ ପାଉଚ, ଶୁଭ !

 

ସୁଖ ପାଉ ନ ଥିଲେ ମୁଁ ସେ ସ୍ମୃତି ମନେ ପକାନ୍ତି ନାହିଁ । ବେଦନାରୁ ତମେ ଯେ ଆନନ୍ଦ ନ ପାଉଛ, ତାହା ଅନ୍ତତଃ ମୋ ଆଗରେ ଲୁଚାଅ ନାହିଁ ।

 

ହଁ, ଏହି ସ୍ମୃତି ମଧ୍ୟରେ ମୁଁ ସ୍ମୃତିହୀନ ସ୍ଥିର ଅବସ୍ଥାକୁ ଆସିବାକୁ ହୁଏତ ବାଟ ପାଇଯିବି ।

 

ସ୍ଥିର ଅବସ୍ଥା ? ସେ ବି ଏକ ପ୍ରବଞ୍ଚନା । ଏହା ସେହି ପାଣ୍ତିତ୍ୟର ପଥର ପାଲଟିବା ଅବସ୍ଥା, ଯାହାକୁ ସ୍ଥିତପ୍ରଜ୍ଞ କହିଚି ଗୀତା ।

 

ସ୍ଥିତପ୍ରଜ୍ଞ ଅବସ୍ଥାଟାକୁ ଏପରି କଟୁ ସମାଲୋଚନା କରୁଚ କାହିଁକି ?

 

ଯଦି ସ୍ଥିତପ୍ରଜ୍ଞର ଆଦର୍ଶ ଅର୍ଜ୍ଜୁନ ଗ୍ରହଣ କରିଥାନ୍ତେ, ଗୀତା ଦ୍ଵିତୀୟ ଅଧ୍ୟାୟରେ ଶେଷ ହୋଇଥାନ୍ତା; ଆଉ ମହାଭାରତ ଯୁଦ୍ଧ ହୁଏତ ଆରମ୍ଭ ହୋଇ ନ ଥାନ୍ତା ! ଯାଉ ସେ କଥା, ତମ ଜୀବନର ସୁଖ-ଦୁଃଖ କହ ଶୁଭ ! ମୁଁ ସ୍ଥିତପ୍ରଜ୍ଞ ନୁହେଁ । ସ୍ଵିତପ୍ରଜ୍ଞ ହୋଇ-ନ ଥିଲେ ମୁଁ ଏହି ପ୍ରପୀଡ଼ିତ ମଣିଷସମାଜର ସେବାରେ ନିଜକୁ ନିୟୋଗ କରି ନ ଥାନ୍ତି । ଶୁଭ ଏବଂ ପ୍ରେମ ସ୍ପନ୍ଦନରେ ପ୍ରାଣକୁ ପରିପୂର୍ଣ୍ଣ କର ।

 

ହଁ, ସୁଖ-ଦୁଃଖ ! ଆଉ କ’ଣ ? ବିଭା ହେଲି, ଯେପରି ହିନ୍ଦୁ ସମାଜରେ ବହୁ ନାରୀ ବିବାହ-ଯୂପକାଠିରେ ବଳି ପଡ଼ନ୍ତି । ପୁଅ ଝିଅ ହେଲା, ବାସ୍ ଆଉ କ’ଣ ?

 

ତେବେ ଆଉ ଷୋଭ, ଅନୁଶୋଚନା ପାଇଁ ଆଜି ଅବକାଶ କାହିଁକି

 

ହଁ, ସେଇଠି ଭୁଲ । ଦେଖିଚ ବାଟୋଇ ବାଟରେ ଯାଏ, ପ୍ରତି ମାଇଲରେ ଗୋଟାଏ ଖୁଣ୍ଟ ଥାଏ । ମାଇଲଖୁଣ୍ଟକୁ ଅନାଇ ବାଟୋଇ ରାସ୍ତା, କେବଳ ଜାଣେ । ଯାତ୍ରୀ ପୁଣି ଆଗେଇଯାଏ-। କ’ଣ ମାଇଲ ଖୁଣ୍ଟ ହୁଏ କେବେ ବାଟୋଇର ଆଶ୍ରା କିମ୍ଵା ଆଶ୍ରୟ ସ୍ଥଳୀ ? ସେଠି କ’ଣ ସେ ପାଏ ଛାଇ କିମ୍ଵା ବିଶ୍ରାମ ? ମାଇଲଖୁଣ୍ଟ ବାଟୋଇକୁ ଆଶ୍ରୟଦେବା କେବେ ଶୁଣିଚ ?

 

ବିଚିତ୍ର ତୁମର ଏ ପରିକଳ୍ପନା !

 

ଏଥିରେ ବିଚିତ୍ରତା କିଛି ନାହିଁ କିନ୍ତୁ । ଏହା ନିତିଦିନିଆ ନିଠୁର ବାସ୍ତବ ଅନୁଭୂତି । ଯେମିତି ବହୁ ଯୁବକ-ଯୁବତୀ ପ୍ରେମରେ ପଡ଼ନ୍ତି, ସେମିତି ତମେ ଆଉ ମୁଁ । ଯାହା ସରଳ ଓ ସୁଖଦାୟକ ଆମ ପ୍ରତି ଥିଲା, ତହିଁରେ ସମାଜ, ପରିବାର ଖୋଜିବସିଲେ ନିଜ ସ୍ଵାର୍ଥ । ପରିଣାମ ହେଲା ଦୁଃଖ ଓ ଜଟିଳତା ।

 

ଏ ଭୁଲ୍ କାହିଁକି ହେଲା ?

 

କାରଣ ସତ୍ୟଟା ମଧ୍ୟ ମିଥ୍ୟା ଭଳି ଦେଶ, କାଳ, ପାତ୍ର-ଦ୍ଵାରା ଆବଦ୍ଧ । କେବଳ ମୋ କର୍ମରେ ବନ୍ଧା ନୁହେଁ, ମୋ ଚାରିଆଡ଼ର କର୍ମଧାରା ମଧ୍ୟ ମୋତେ ପ୍ରଭାବିତ କରିବାକୁ ବାଧ୍ୟ । ତେଣୁ ମଣିଷର କେବଳ ନିଜ ପ୍ରତି ନୁହେଁ, ନିଜ ପଡ଼ୋଶୀ ପ୍ରତି ଏକ କର୍ତ୍ତବ୍ୟ ଅଛି । ଗାଁରେ ଗୋଟିଏ ଘରେ ନିଆଁ ଲାଗିଲେ ଅନ୍ୟ ଗୃହସ୍ଥ କ’ଣ ସ୍ଥିର ହୋଇ ରହିପାରିବ ? ତାଙ୍କ ଘର ଯେ ପୋଡ଼ି ନ ଯିବ କିଏ କହିବ ?

 

ସେଥିପାଇଁ ହୁଏତ ତମେ ଆଜି ଗତସ୍ମୃତି ମଧ୍ୟରେ ସତ୍ୟର ଅନୁସନ୍ଧାନ କରୁଚ ?

 

ହଁ, ଏଥିରେ ମୋର କେବଳ ତୃପ୍ତି ନାହିଁ, ମଣିଷସମାଜର ମଧ୍ୟ କଲ୍ୟାଣ ନିହିତ ରହିଚି ।

 

ବିବାହିତ ସ୍ଵାମୀ ରୋଗଗ୍ରସ୍ତ ହେଲେ, ମୋ କୋଡ଼ର ଶେଷ-ଶିଶୁ ମରିଗଲା, ଅକାଳ ବାର୍ଦ୍ଧକ୍ୟରେ ସ୍ଵାମୀ ପ୍ରାଣତ୍ୟାଗ କଲେ ଆଉ ଅବଶେଷ ରହିଚି ମୁଁ—ଏକ ଅଲିଭା ବଳିତାର ଶେଷ ଆଲୋକ ଭଳି, ଯାହା ଲିଭିବାକୁ ସବୁବେଳେ ତିଆର; ମାତ୍ର ଲିଭି ନାହିଁ ।

 

ସୌଭାଗ୍ୟବତୀ ଏହିପରି କହିଲାବେଳେ ଏକ ପୁରୁଷର ଛାଇ ହଠାତ୍ କିଛି ଦୂରରେ ଆବିର୍ଭାବ ହେଇଗଲା । ମାତ୍ର ଛାଇ ଆନନ୍ଦ କିମ୍ଵା ସୌଭାଗ୍ୟବତୀର ନିକଟକୁ ଆସିବାକୁ ସାହସ କଲା ନାହିଁ । ସୌଭାଗ୍ୟବତୀ ଛାଇକୁ ଦେଖି ଦୃଢ଼ ସ୍ଵରରେ କହିଲା, “ମୋର କିଛି ଆଉ ଅନିଷ୍ଟ କରିପାରିବ ନାହିଁ । ମୋତେ ମଧ୍ୟ ସ୍ପର୍ଶ କରିପାରିବ ନାହିଁ । ତମେ ମୃତ ଓ ଭୂତ ।’’

 

“ଶୁଭ ! ତମେ ତମ ଦୀର୍ଘ ନାରୀ-ଜୀବନରେ ଶାନ୍ତି ପାଇପାରି ନାହଁ ?’’ ଆନନ୍ଦ ଛାଇକୁ ଦେଖି ନ ଦେଖିଲା ଭଳି କହିଲେ–

 

ଅତୃପ୍ତି ଓ ଅଶାନ୍ତି ମୋର ଚିର ଜୀବନସଙ୍ଗିନୀ ହୋଇଛି ତୁମ ପାଇଁ !

 

ମୁଁ ଏହା ଜାଣି ନ ଥିଲି ।

 

ତମେ ସ୍ଵାର୍ଥପର । ଯେ ନିଜର ମୁକ୍ତି ପାଇଁ ଦୁନିଆ ଛାଡ଼ି ସନ୍ନ୍ୟାସୀ ହୁଏ, ସେ ବଡ଼ ସ୍ଵାର୍ଥପର !

 

ତମେ ତମ ପ୍ରିୟ ବନ୍ଧୁମାନଙ୍କ ଖବର ମଧ୍ୟ ରଖିବାକୁ ଭୁଲିଯାଇଛ ?

 

ଭାବିଥିଲି ଯାହା ଗଲା, ଯାହା ପାଇଁ ଚିନ୍ତା କରିବା ଆମର ନିଷ୍ପ୍ରୟୋଜନ, ତାହା ପାଇଁ ଚିନ୍ତା କରିବାରେ କି ଲାଭ ?

 

ବୁଝିଲି; ପରଦାରକୁ ମା, ପରଦ୍ରବ୍ୟକୁ ଟେକା ପଥର ରୂପେ ଗ୍ରହଣ କରିବା ଆଦର୍ଶ ହୋଇଯାଇଚି ତମର । ମାତ୍ର ମୁଁ କ’ଣ ତମ ଚକ୍ଷୁରେ ପରଦାର ! ନା, ଯେ ବଳାତ୍କାର କରି ତମଠାରୁ ମୋତେ ଝିଙ୍କିନେଲା, ତାର ମୁଁ ପରଦାର ! ମାତ୍ର ତମ ପୌରୁଷର ଏହା ହିଁ ଦୁର୍ବଳତା !

 

ତମେ ଚିର ଉଦାସୀ……

 

ସୀତା ଚୋରି ହେଲା ପରେ ଯଦି ଶ୍ରୀରାମ ଭାବିଥାନ୍ତେ ଯେ ସୀତା ତ ଗଲେଣି, ଆଉ ଅନ୍ୟ ଏକ ନାରୀ ବିଭା ହୋଇଗଲେ ତ ଚଳିଯିବ, ଏତେ ଯୁଦ୍ଧ, ସୀତା ଠାବ, ଯୁଦ୍ଧ ଓ ଉଦ୍ଧାର ଭଳି ବର୍ଣ୍ଣନା ବାଲ୍ମୀକି ଲେଖି ନ ଥାନ୍ତେ । ହୁଏତ ଶ୍ରୀରାମ ଚରିତ୍ରର ମହତ୍ତ୍ଵ ଭାରତରେ ଖ୍ୟାତ ହେବାକୁ କିଛି ନଥାନ୍ତା । ଅନେକ ପୁଅଙ୍କୁ ବାପ ଘରୁ ଆଜି ମଧ୍ୟ ତଡ଼ି ଦେଉଛନ୍ତି । ଶ୍ରୀରାମଙ୍କ ଚରିତ୍ରରେ ସେହି ବିଶେଷତ୍ଵ କିଛି ନୁହେଁ । ଶ୍ରୀରାମ ସମାଜରେ ନ୍ୟାୟ ପ୍ରତିଷ୍ଠା ପାଇଁ ବହୁ ପ୍ରତିବନ୍ଧକ ଏଡ଼ାଇ ବୀର ଭଳି ଲଢ଼ିଥିଲେ; ତେଣୁ କବିଙ୍କ କଳ୍ପନା ତାଙ୍କ ଚରିତ୍ରବର୍ଣ୍ଣନାରେ କଳଙ୍କିତ ହୋଇଯାଇଚି । ଶ୍ରୀରାମ କ’ଣ କେବେ ଭାବିଥିଲେ— ନା, ସୀତା ରାଜି ହୋଇ ନ ଥିଲେ ରାବଣ କେବେ ସୀତାଙ୍କୁ ନେଇପାରି ନ ଥାନ୍ତା ! ଶ୍ରୀରାମ ନାରୀର ଦୁର୍ବଳତା ଜାଣିଥିଲେ । ତେଣୁ ସେ ସୀତାଙ୍କୁ ଦୋଷ ନ ଦେଇ ରାବଣର ସଂହାର କଲେ !

 

ଏ ବୟସରେ ଓ ଅବସ୍ଥାରେ ମୋର ପୌରୁଷକୁ ଧିକ୍‌କାର କରି କି ଲାଭ ?

 

କାରଣ ମୁଁ ଦୁନିଆରେ କ୍ଳୀବତାକୁ କୀଟ ଭଳି ଧ୍ଵଂସ କରିବାକୁ ଚାହେ ! ଏହି ସନ୍ନ୍ୟାସୀର ପୋଷାକ, ଯାହା ଦୁନିଆ ଆଗରେ ତ୍ୟାଗର ଚିହ୍ନ, ତାହା କ୍ଳୀବତାର ସ୍ମାରକ ନାରୀ ଆଗରେ ।

 

ହୋଇପାରେ ! ଏହା ପ୍ରତ୍ୟେକଙ୍କ ଦୃଷ୍ଟିକୋଣ ଉପରେ ନିର୍ଭର କରେ ।

 

ହୋଇପାରେ ନୁହେଁ, ହୋଇଚି ଯୁଗେ ଯୁଗେ । ଏ ସୁନ୍ଦର ବସୁନ୍ଧରା ଋତୁ ଘେନି ପ୍ରାକୃତିକ ଫୁଲ, ଫଳ ସମ୍ଭାରରେ ସଜ୍ଜିତା ହୁଏ, ଆକାଶ ଜଳଦ ପଟଳରେ ପରିବୃତା ହୁଏ, ନୈଶ-ନଭରେ ଲାଗେ ଜ୍ୟୋତ୍ସା-ଜୁଆରର ଅସରନ୍ତି ଖେଳ । ଧରଣୀର ବିଚିତ୍ର ଶୋଭା, ରୂପ, ରସ, ଗନ୍ଧ ମଧ୍ୟରେ ଯେ କ୍ଳୀବତାର ପୋଷାକ ପିନ୍ଧି ବୈରାଗ୍ୟ ସାଧନା କରନ୍ତି, ମୁଁ ତାଙ୍କୁ ଭୀରୁ, ପଳାତକ ରୂପେ ସବୁଦିନେ ଅପବାଦ ଦେବାକୁ ପ୍ରସ୍ତୁତ । ନର ନୁହେଁ; ନାରୀ ମଧ୍ୟ ଏହି ବ୍ରତ ବରଣ କରିଚି ।

 

ଏହି ଅପବାଦ ଦେବାରେ ସମାଜର ଅବା କି ଲାଭ ହେବ କହିଲ ଭଲା, ଶୁଭ !

 

ନର କିମ୍ଵା ନାରୀ ହୁଅନ୍ତୁ, ବ୍ୟକ୍ତିଗତ ବୈରାଗ୍ୟ ସାଧନାରେ ବିଶ୍ଵର ପରିତ୍ରାଣ ନାହିଁ । ଧର୍ମ ଦରକାର, ତାହା ଲୋକଧର୍ମ ହେବା ଚାହିଁ । ଆଉ ଲାଭ କ୍ଷତି ବିଚାର କରିବା ମୋର କାମ ନୁହେଁ ।

 

ମଣିଷ ମନକୁ ଶୁଭ ! ତୁମେ ବୁଝିପାରି ନାହଁ; କାରଣ ତମ ମନ ପୂର୍ଣ୍ଣ ସୁଖଭୋଗ କରିନାହିଁ ନା ମାନୁଚି ।

 

ମାତ୍ର ବାସ୍ତବତାର ବେଦନାକୁ ଭୁଲିଯିବାକୁ ବୈରାଗ୍ୟ ଏକ ବେଶ୍ ଆରାମଦାୟକ ଆଦର୍ଶକୌଶଳ । ଯେ ବୀର, ସେ ପରିସ୍ଥିତିକୁ ନିଜ ଅକ୍ତିଆରକୁ ଆଣେ । ଆଉ ଯେ ପରିସ୍ଥିତିରୁ ପଳାଇଯାଇ ପଳାତକ ବେଶରେ ମନ୍ଦିର, ଗୀର୍ଜା, ମସଜିଦ୍, ମକାତବ, ଆଶ୍ରମରେ ଆଶ୍ରା ନିଏ, ସେ ମୋ ଚକ୍ଷୁରେ ବୀର ନୁହେଁ, ଭୀରୁ….. ।

 

ଉଚ୍ଚ ଦର୍ଶନ, ନୀତି, ମର୍ମ ରହିବ ନାହିଁ, ଶୁଭ !

 

ଉଚ୍ଚ ଦର୍ଶନ, ନୀତି, ଧର୍ମ ? ଭାରତରେ କାହାର ଅଭାବ ? ମାତ୍ର ସମାଜରେ ଦେଖୁଛ କ’ଣ କୁହ ଭଲା ! କେଉଁଟା ନୀତି, କେଉଁଟା ଅନୀତି ନାରୀର ଦେହ ଛାଡ଼ି ତାକୁ ମନ ମଧ୍ୟରେ ଝୁରିହେବାରେ କି ନୀତି ?

 

ଦେହ ଓ ମନ ଉଭୟକୁ ଛାଡ଼ିଲେ……

 

ଏ ପ୍ରତାରଣା…ଯଦି ତମର ପ୍ରେମ ନାରୀ ପ୍ରାଣରେ ଥରେ ଢାଳିଥାଅ, ତାର ଦେହ ଓ ମନ ଉଭୟ ପାଶୋରିଦେବା ଏକ ପ୍ରତାରଣା । ପ୍ରେମ ମରେ ନାହିଁ । ଦେହ ସରେ, ଦେହ ଜଳେ; ସେହି ଜଳିଲା ନିଆଁ, ଝଡ଼ିଲା ଫୁଲ, ସରିଲା ଆଲୁଅଶିଖା ମଧ୍ୟରେ ପ୍ରେମ ବଞ୍ଚେ । ପ୍ରେମ ଦୁନିଆକୁ ବଞ୍ଚାଏ । ପ୍ରେମ କେବଳ ଦେହକୁ ଘେନି ନୁହେ । ଦେହ ପ୍ରେମର ଏକ ଉପାଦାନ ହେଲେ ମଧ୍ୟ ଏହା ପ୍ରେମର ଉଦ୍ଦେଶ୍ୟ ନୁହେ । ହଁ, ପ୍ରେମ ଦେହାତୀତ- । ସେ ପ୍ରେମ ଜଣଙ୍କ ପାଇଁ ନ ହୋଇ ସମଗ୍ର ଦୁନିଆର ମଣିଷସମାଜ ପାଇଁ ବିସ୍ତୃତ ହୋଇପାରିଲେ……

 

କଠିନ, ବଡ଼ କଠିନ ! ଏକ ଆର୍ତ୍ତକଣ୍ଠରେ ଅସ୍ପଷ୍ଟ ସହିତ ନାରୀମୂର୍ତ୍ତିଟି ମିଳେଇଗଲା । ଜ୍ୟୋତ୍ସ୍ନା ଯେପରି ଆଉରି ଶୁଭ୍ରତର ହୋଇଉଠିଛି ଏବଂ ଏହି ଶୁଭ୍ର ଜ୍ୟୋତ୍ସ୍ନା ଦେହରେ ଯେପରି ସୌଭାଗ୍ୟବତୀର ଦେହଟା ମିଳାଇଯାଇ ଏହାକୁ ଆହୁରି ସ୍ନିଗ୍‌ଧ, ସୁନ୍ଦର ଓ ସରସ କରିଦେଇଚି । ରାତିର ଗଭୀରତା ସଙ୍ଗେ ନିର୍ଜନତା ଖୁବ୍ ବଢ଼ିଯାଇଚି ଏବଂ ସନ୍ନ୍ୟାସୀ ଆନନ୍ଦ ପୁଣି କର ଓଲଟାଇ ପଶ୍ଚିମ ଦିଗକୁ ମୁହଁକରି ଶୋଇଲେ ।

 

(୪)

 

ଚନ୍ଦ୍ରିକାର ମହାପ୍ଳାବନରେ ଚାରିଆଡ଼ ସୁନ୍ଦର ଦେଖାଯାଉଥିଲା । ନଈ, ପଡ଼ିଆ, ଗଛ, ଶ୍ମଶାନ, ସହର ସବୁରି ଉପରେ ଶୁଭ୍ର ଜ୍ୟୋତ୍ସ୍ନାର ଅସରନ୍ତି ସ୍ନିଗ୍‍ଧ ଧାରା । ଯେ ଯେତେ ଉପରୁ ଦେଖେ, ତା ପକ୍ଷରେ ତଳ ଜିନିଷଗୁଡ଼ିକ ସେତିକି ସମାନ ଦେଖାଯାନ୍ତି । ବଡ଼ ସାନର ପାର୍ଥକ୍ୟ ଏହି ତଳ ଭୂଇଁରେ । ଆନନ୍ଦ ଯେଉଁ ଗଛତଳେ ଶୋଇଥିଲେ, ସେଠାରେ ଆଖି ଖୋଲି ଦେଖନ୍ତି ଯେ ଗଛର ପତ୍ର ଉହାଡ଼ରେ ଫୁଲ କିମ୍ଵା ତାରା, ଗ୍ରହ ଭିନ୍ନ ଏକ ଏକ ରୂପ, ଅଙ୍ଗ ଝଲସିଉଠି ଲୁଚିଯାଉଚି, ଯେପରି ସହରରେ ବିଜୁଳିବତୀ ଗୋଟିକ ପରେ ଗୋଟିଏ ଜଳିଉଠି ପୁଣି ଲିଭିଯାଏ । କେଉଁ ନାରୀର ଗଣ୍ତଯୁଗଳ, କାହାର ପଦ୍ମନିନ୍ଦୀ ଚକ୍ଷୁ ଦୁଇଟି, କାହାର କଳା ଚିକ୍‌କଣ କବରୀ, କାହାରୁ ସୁଗଠିତ ନାରିକେଳ ସଦୃଶ ବକ୍ଷ ଦ୍ଵୟ । ଯେପରି ଏ ରୂପ ଶୋଭାଯାତ୍ରା !

କାହାର ହସ, ରଙ୍ଗଓଠ, ବଙ୍କିମଚାହାଣି, ଆଡ଼ ଚାହାଣିର ତୀକ୍ଷ୍‍ଣ ବାଣ—ଯେପରି ଶରତ୍ ଆକାଶରେ ଖଣ୍ତ ଖଣ୍ତ ମେଘ ଭାସିଗଲାବେଳେ ସରୋବର ଛାତିରେ ଛାଇ ବାରମ୍ଵାର ପଡ଼େ, ସେପରି ଏସବୁ ରୂପ ପଟୁଆରର ପ୍ରତ୍ୟେକ ସ୍ମୃତି ଆନନ୍ଦଙ୍କ ମନକୁ ଛାଇ ଭଳି କିଛି ସମୟ ଢାଙ୍କି ରଖୁଥିଲା । ସ୍ତବ୍‌ଧ ଓ ନିର୍ବାକ ଏକ ଜ୍ୟୋତି ଦେଖାଗଲା ।

ଆନନ୍ଦ ସ୍ତବ୍‌ଧ ଓ ନିର୍ବାକ । ହଠାତ୍ ଏକ ଜ୍ୟୋତି ଦେଖାଗଲା । ତାହାର ଆଲୁଅରେ ଜ୍ୟୋତ୍ସ୍ନା ବି ନିଷ୍ପ୍ରଭ ହୋଇପଡ଼ିଲା, ଯେପରି ଦିଗ୍‌ବଳୟରେ ପୋଡ଼ି ଯାଉଥିବା ଗାଁର ନିଆଁଶିଖା ଦେଖାଯାଏ । ସେହି ଆଲୁଅ ପଛେ ପଛେ ଏକ ନାରୀ ଉଭା ହୋଇଗଲା । ଆନନ୍ଦଙ୍କ ଅତି ନିକଟରେ ଚାରିଆଡ଼ର ଶୁଭ୍ର ଜ୍ୟୋତ୍ସ୍ନାଲୋକ ନାରୀ ଦେହରେ ଯେପରି ଏକ ସ୍ଵତତ୍ର ସ୍ନିଗଧତା ଓ ସୌନ୍ଦର୍ଯ୍ୟ ବୋଳି ଦେଇଥିଲା ।

 

ଆନନ୍ଦ ସ୍ପଷ୍ଟ ଦେଖି ପାରୁଥିଲେ । ସେ ଥିଲା ସୁହାସିନୀ, ନଗରର ପ୍ରସିଦ୍ଧା ଶିକ୍ଷିତା ଅବିବାହିତା ସାମାଜିକନାରୀ, ଯାହା ବିନା ଉପସ୍ଥିତିରେ ସହରର କୌଣସି ସାମାଜିକ ଭୋଜି ପୂର୍ଣ୍ଣତା ଲାଭ କରେ ନାହିଁ, ଯାହାର ପ୍ରତ୍ୟେକ ଅଙ୍ଗରୁ ଲାବଣ୍ୟ ଝରେ, ପ୍ରତି ହସରେଖାରେ ରସବିନ୍ଦୁ ଲାଖି ରହେ, ଯାହାର କୁଞ୍ଚିତ କୃଷ୍ଣ କବରୀ ଶ୍ରାବଣ ଜଳଦକୁ ନିନ୍ଦା କରେ, ରକ୍ତିମ ଅଧର ଅରୁଣକୁ ପରାଜୟ କରେ, ଯାହାର ଦନ୍ତପନ୍ତି ଡାଳିମ୍ଵ ବୀଜକୁ ଅପଦସ୍ଥ କରେ, ଯାହାର ମୁଖଶ୍ରୀ, ବର୍ତ୍ତୁଳ ଉରଜ, ଦୁଇବାହୁଲତା, ସୁଗୋଲ ନୟନ ସ୍ଵଗର ଅପସରୀଙ୍କ ରୂପକୁ ଅପମାନ ଦିଏ ।

 

“ସୁହାସିନୀ ! ତମେ ଯେ ଏଠି ?’’ ଆନନ୍ଦ ପଚାରିଲେ ।

 

ସୁହାସିନୀ ରଙ୍ଗଓଠରେ ହସ !

 

ନିଶ୍ଚୟ ସୁହାସିନୀ ! ଆନନ୍ଦଙ୍କ ମନରେ ସନ୍ଦେହ ।

 

ହଁ, ତମେ ଯେ ଏଠି ? ପୁଣି ଆନନ୍ଦ ପଚାରିଲେ ।

 

ଯେ ଫୁଟେ, ସେ ବି ଝଡ଼େ ।

 

ଜୀବନଟା ତ ଏହି ଫୁଟା- ଝଡ଼ର ମହାପର୍ବ ସୁହାସିନୀ !

 

ଆଉ ଏହି ମହାପର୍ବରେ ତମେ ନିର୍ବିକାର ପୁରୋହିତ ସାଜିଛ ସନ୍ନ୍ୟାସୀ ହୋଇ ଏ ଖବର ଆଗରୁ ପାଇଥିଲି, ଆଜି ସୌଭାଗ୍ୟକୁ ଦେଖା ମିଳିଗଲା ।

 

ଫୁଟିଲାବେଳେ ମଣିଷ ଯେଉଁ ବେଶ ଧରେ, ଝଡ଼ିଲା ଦୃଶ୍ୟ ବେଳେ କ’ଣ ସେହି ପୋଷାକ ଶୋଭା ପାଏ ?

 

ସୁହାସିନୀକୁ ଏପରି କଥା-ଛନ୍ଦରେ ବହୁବାର ଛନ୍ଦିଥିଲ କବି ଭାବରେ ମନେପଡ଼ୁଛି !

 

ସେ କବି ଆଜି ମରିଚି ।

 

ନା, କବି ମରେନା ।

 

ମୋର ନାରୀଚିତ୍ତର ନିର୍ମଳ-ଝରରେ ବହୁ ରସବନ୍ତ ପୁରୁଷଙ୍କୁ ଦେଖିଚି । ସେମାନଙ୍କ ଶୋଷ ମେଣ୍ଟିଥିବ; ମାତ୍ର ସେମାନେ ମୋର ଆତ୍ମାକୁ ମାତ୍ର ଅପମାନ ଦେଇ ଯାଇଚନ୍ତି । କେବଳ କବି ! ତୁମେ ନାରୀକୁ ବଞ୍ଚାଇବାକୁ ସାଧନା କରିଥିଲ ।

 

ବଞ୍ଚିବା ସତ ହୋଇପାରେ ! ଶୋଷ ତମ ନିଜର ମେଣ୍ଟିଗଲା ତ ?

 

ମୋର ଯେ ମାତ୍ର ତୃଷ୍ଣା ବଢ଼ିଚି ।

 

ଏହି ତୃଷ୍ଣାକୁ ବଢ଼ାଇବାରେ ତମର ଆନନ୍ଦ, ନା ଏହାକୁ ଶେଷ ସମାଧି ଦେବାରେ ?

 

ବଡ଼ ଭାଗ୍ୟବତୀ ମୁଁ । କାରଣ ଜଣେ ସନ୍ନ୍ୟାସୀଙ୍କ ହାତରେ ସୁହାସିନୀର ଶେଷ ସମାଧି ରଚନା ହେବ !

ସୁହାସିନୀ କିଛି ସମୟ ରହି ପୁଣି କହିଲା—ଯେତେବେଳେ କବିଙ୍କୁ ମୋର ସମସ୍ତ ରୂପ ଯୌବନ, ଦେହ, ମନ ଦାନ କରିବାକୁ ଅକୁଣ୍ଠିତ ଚିତ୍ତରେ ଆମନ୍ତ୍ରଣ କରିଥିଲି, କବି ତ କେବଳ ମୋର ରୂପ-ବନ୍ଦନା ଗାଇ ସନ୍ତୁଷ୍ଟ ହେଲେ ।

କବି ଅମୃତ ପିଏ, ଗରଳରେ କି ଦରକାର ? ଯାହା ନ ରହେ, ତାହା ପାଇଁ ଏତେ ବ୍ୟଗ୍ରତା ଓ ମମତା କ’ଣ ଶୋଭାପାଏ ?

ହଁ, ବସନ୍ତ ରୋଗ ତାହା ନେଇ ଯାଇଥିଲା; ଆଜି ଜୀବନ ମଧ୍ୟ ଶେଷ ହୋଇଚି ।

ମରିଯାଇଚ, ସୁହାସିନୀର ପ୍ରେତ ତମେ ?

ହଁ, ପ୍ରେତର ବି ପ୍ରାଣ ଅଛି । ଆଜି ମୁଁ ଚକ୍ଷୁ ହରାଇ ମଧ୍ୟ ଦେଖିପାରୁଚି, ତୁମ ତୁଣ୍ତ ବାରିପାରୁଚି ।

ଦେହ ଛାଡ଼ି ତମେ ମନର ସନ୍ଧାନୀ ହୋଇଯାଇଚ ସୁହାସିନୀ !

ଫୁଟିଲା ଫୁଲ ଚାରି ପାଖରେ ମହୁମାଛି ଭଳି ଯେଉଁମାନେ ନାରୀର ରୂପ, ରସ ପାଇଁ ମୋତେ ଘେରି ରହିଥିଲେ, ସେମାନେ ମୋ ଦୁର୍ଦ୍ଦିନରେ ଥରେହେଲେ ମୋ ଦ୍ଵାର ମଧ୍ୟ ମାଡ଼ିଲେ ନାହିଁ ।

 

କାହିଁକି ?

 

ସେମାନେ ହୁଏତ ମୋତେ ରୂପ-ରସଶୂନ୍ୟ ମଣିଚନ୍ତି ।

 

ସେମାନେ ସତରେ ରସ ଚାହୁଁ ନ ଥିଲେ, ସେମାନେ ଫଳ ଉପରିସ୍ଥ ଚୋପା-ରଙ୍ଗ ଦେଖି ଭୁଲିଗଲେ । ମଣିଷ-ପ୍ରାଣରେ ରସ ହେଲା ପ୍ରେମ । ରୂପଯୌବନ ଫଳର ଚୋପା, ରଙ୍ଗ ମାତ୍ର ।

 

ହଠାତ୍ ଏକ ଭୀଷଣ ଶଦ୍ଦ ଶୁଣାଗଲା, ଯେପରି ଗୋଟାଏ ଦେଶୀ ବାଣ ଫୁଟିଲା । ଆନନ୍ଦ ଅନାଇ ଦେଖିଲେ ଯେ ସୁହାସିନୀଠାରୁ କିଛି ଦୂରରେ ଏକ ପୁରୁଷର ଛାଇ । ଛାଇ ପୁରୁଷଟି ସୁହାସିନୀକୁ ଗଭୀରଦୃଷ୍ଟିରେ ଚାହିଁଚି ।

 

ସୁହାସିନୀର ଆଖି ମଧ୍ୟ କ୍ଷଣକେ ଛାଇ ଉପରେ ପଡ଼ିଗଲା—କିଏ ? କିଏ ?

 

ଛାଇ ପୁରୁଷ ହସିବାକୁ ଲାଗିଲା ଏବଂ କହିଲା, “ଚିହ୍ନି ପାରୁ ନାହଁ ! ମୁଁ ସୁକାନ୍ତ ।’’

 

ସୁହାସିନୀ ମଧ୍ୟ ହସିବାକୁ ଲାଗିଲା । ସେ ହସରେ ମିଶିଥିଲା ଏକ ତାତ୍ସଲ୍ୟ. ଭାବ ।

 

“ସୁକାନ୍ତ ! ତୁମେ ଏଠି, ସଙ୍ଗୀତ ସମ୍ମିଳନୀରେ ମୋର କଣ୍ଠ-ସଙ୍ଗୀତ ଶୁଣି ତୁମେ ମୋ ରୂପରେ ମତୁଆଲା ହୋଇ ମୋ ଘରକୁ ସୁନାହାର ଘେନି ଯାଇଥିଲ । ମୁଁ ପଚାରିଲି ସୁନାହାର କେଉଁଠୁ ଆଣିଲ ? ତମେ ମିଛରେ କହିଥିଲ ଟଙ୍କା ଥିଲା । କିନ୍ତୁ ତମର ମା’ଙ୍କ ଅର୍ପିତ ମହାର୍ଘ ସ୍ମୃତିବୋଳା ସୁନାମୋହର ତିନୋଟି ବିକିଦେଇ ତମେ ମୋ ପାଇଁ ଗିନି ସୁନାର ମାଳା ଆଣିଥିଲ । ମା’ଙ୍କ ଖାଣ୍ଟି ସୁନା ତମେ ହରାଇଥିଲ ।’’

 

ଛାଇ ପ୍ରତିବାଦ-ସ୍ଵରରେ କହିଲା— ତାହା ଏଠାରେ ପ୍ରକାଶ କରିବାରେ ଲାଭ ?

 

ଆଜି ମୁଁ ଲାଭ-କ୍ଷତି-ଜଗତ ଡେଇଁ ଆସିଚି ସୁକାନ୍ତ ! ତୁମେ ବହୁବାର ମୋ ଘରକୁ ଆସିଚ, ଗୀତ ଶୁଣିଚ, ମୋତେ ସାଙ୍ଗରେ ଘେନି ସିନେମା, ଥିଏଟର ଦେଖି ଯାଇଚ; ମାତ୍ର ଯେତେବେଳେ ତୁମ ସହିତ ମୋର ବିବାହ ପ୍ରଶ୍ନ ମୁଁ ଉଠାଇଚି, ତୁମେ ମୋତେ ପ୍ରତାରଣା କରି ଖସି ଚାଲିଗଲ । ଲୁଚିଲ, ଆସିଲ ନାହିଁ । ମୋର ଓ ସ୍ଵପ୍ନ ଘେନି ଖେଳନ୍ତି । ମାତ୍ର ସ୍ପନ୍ଦନ ଓ ସ୍ଵପ୍ନ ତଳେ ନାରୀ ଚାହେଁ ଆଉ କିଛି ବାସ୍ତବ, ଆଉ କିଛି ଯାହା ତୁମେ ଶ୍ରୀମନ୍ତ ବାବୁ, ମୋତେ ଦେଇପାରିଥିଲ ବୋଲି ମୁଁ ତମକୁ ପୋଷିଥିଲି । କିନ୍ତୁ, ତମେ ମୋ ମନର ଖୋରାକି ଯୋଗାଇ ପାରି ନ ଥିଲ । କାରଣ ତମେ ସକ୍ଷ କଳାବିତ ନ ଥିଲ, ଥିଲ ପୂରାପୂରି ପଶୁଟିଏ ।

 

ଜୀବର ଧର୍ମ ହେଲା ପଶୁତ୍ଵ, ସୁହାସିନୀ ! ମୁଁ ମୋର ସ୍ଵଧର୍ମ ପାଳିଥିଲି, ପଳାତକ ହୋଇ ନ ଥିଲି ।

 

ହଁ, ମାତ୍ର ଏହି ପଶୁତ୍ଵଟା ତମର ଥିଲା ଅତିମାତ୍ରାରେ । ଶ୍ରୀମନ୍ତ ବାବୁ ! ସୁହାସିନୀ ଭଳି ରୂପ-ଯୌବନସମ୍ପନ୍ନା ନାରୀ ପାଇ ମଧ୍ୟ ତମେ ସନ୍ତୁଷ୍ଟ ହୋଇ ରହିପାରି ନ ଥିଲ । ତମ ପାଖରେ ପ୍ରେମ, ସ୍ଵପ୍ନ ସ୍ପନ୍ଦନ ଭଳି ସୂକ୍ଷ୍ମାନୂଭୂତି କେବଳ ମିଛ ଥିଲା । ତମେ ଜାଣିଥିଲ ପୂଜାକରି ଗୋଟିଏ ଜିନିଷ, ତାହା ନାରୀର ଦେହ…

 

ହଁ, ସୁହାସିନୀ ! ଶ୍ରୀମନ୍ତ ଦେହ-ତୀର୍ଥର ଚିରଦିନ ତୀର୍ଥବାସୀ ଥିଲା ।

 

କେତୋଟି ନାରୀଙ୍କ ଦେହ ତମର ତୀର୍ଥ ହୋଇଥିଲା ଜୀବନରେ ?

 

“ସେହିଟା ମନ୍ତ୍ର ଭଳି ଗୋପନୀୟ ।’’ ଶ୍ରୀମନ୍ତ ବାବୁ କିଛି କ୍ଷଣ ରହି ପୁଣି ପଚାରିଲେ, “ପଚାରିପାରେ ଆଜି କାହିଁକି ଏ ସତ୍ୟପ୍ରକାଶ !’’

 

ସତ୍ୟ ସବୁବେଳେ ଉପଭୋଗ୍ୟ । ସତ୍ୟ-ପ୍ରକାଶରେ ଆତ୍ମାର ବିକାଶ ହୁଏ ।

 

ତମେ କ’ଣ ପାପ କରିଥିଲ ସୁହାସିନୀ ! ତମ ମନରେ ତ ଦିନେହେଲେ ପାପର ଧାରଣା ଥିଲା ବୋଲି ମୋର ଅନୁମାନ ହେଉ ନାହିଁ ? ଶ୍ରୀକାନ୍ତ ବାବୁ ଏହା କହି ସୁହାସିନୀକୁ ଚାହିଁ ରହିଲେ ନା— ନା, ପାପ ନୁହେଁ । ମୁଁ ନାରୀ ହୋଇ ମଧ୍ୟ ସନ୍ନ୍ୟାସୀଙ୍କ ଭଳି ନିର୍ବିକାର ଭାବରେ ଏହି ପୃଥିବୀର ରୂପ, ରସ, ଗନ୍ଧ ଉପଭୋଗ କରିଥିଲି ଏବଂ ଆକଣ୍ଠ ମୁଁ ଏହି ପୃଥିବୀର ଦେହ-ଧାରରେ ମଜ୍ଜି ରହିଥିଲି । ମୁଁ ମରୀଚିକାକୁ ମରୀଚିକା ଜାଣି ମଧ୍ୟ ତାହା ପଛରେ ପାଣି ପାଇବି ବୋଲି ଧାଇଁଥିଲି ।

 

ସେଥିରେ ତମେ ଆନନ୍ଦ ପାଇଥିଲ ?

 

ହଁ, ପାଇଥିଲି । ମାତ୍ର ସେ ଆନନ୍ଦ ସରିଗଲା ଭଳି ବୋଧକଲି ।

 

“ଆନନ୍ଦ ମଧ୍ୟ ସରେ, ନିରାନନ୍ଦ ଭଳି”—ଆନନ୍ଦ ଯୋଗ କଲେ ।

 

ଠିକ୍ କହିଛନ୍ତି, ସେଥିପାଇଁ ଶ୍ରୀମନ୍ତ ବାବୁଙ୍କୁ ମୁଁ ନିଜେ ନିଜେ ବିଦାୟ ଦେଲି, ଯେପରି ସୁକାନ୍ତ ମୋତେ ଛାଡ଼ି ଚାଲିଗଲା ।

 

ଶ୍ରୀମନ୍ତଙ୍କ ଛାଇ ସଙ୍ଗେ ସଙ୍ଗେ ଅପସରିଗଲା ।

 

“ମୋର ଜୀବନକୁ ସରସ, ସୁନ୍ଦର ଓ ପରିପୂର୍ଣ୍ଣ କରିଥିଲ ତମେ କବି !’’

 

ସୁହାସିନୀ ଏହା କହିବା ସଙ୍ଗେ ସଙ୍ଗେ ଦେଖାଗଲା ଆଉ ଏକ ପୁରୁଷର ଛାଇ । ଆନନ୍ଦ ଯେପରି ନିର୍ଜୀବ ମଲା ମଣିଷ ଭଳି ପଡ଼ି ରହିଲେ । ପୁରୁଷଟି ଏକ ଭଦ୍ରଲୋକ । ଦେହର ପୋଷାକ ପରିଷ୍କାର ପରିଚ୍ଛନ୍ନ । ମନେହେଲା ଯେପରି ସନ୍ନ୍ୟାସୀ ଆନନ୍ଦଙ୍କ ଶୋଇଲା ସ୍ଥାନରୁ ସୁହାସିନୀଙ୍କ ପରିଚିତ କବି ଆସିଲେ । ସୁହାସିନୀ ହୁଏତ ଏହାକୁ ଆଖିର ଭ୍ରମ ବୋଲି ଅନୁମାନ କରି ତୁନି ରହିଗଲା ।

 

ଅନନ୍ଦଙ୍କ ନିର୍ଜୀବ ଅବସ୍ଥା ଦେଖି ସୁହାସିନୀର ମନରେ ମଧ୍ୟ ସନ୍ଦେହ ବଢ଼ି ଯାଇଥିଲା । ସୁହାସିନୀ ତୁଣ୍ତ ଫିଟାଇ ଆଗେ ପଚାରିଲା, “ସନ୍ନ୍ୟାସୀଙ୍କ ଅନ୍ତର ତଳୁ କବିଙ୍କର ଆବିର୍ଭାବ ବଡ଼ ଚମତ୍‌କାର, ନୁହେଁ କବି !’’

 

କବି ଉତ୍ତର ଦେଲେ—ହଁ, ଯାହା ଆଖିକୁ ଦେଖାଯାଏ, ତାହା ପୂରାପୂରି ସତ୍ୟ ନୁହେଁ । ତାହା ହୋଇଥିଲେ କବିକ ଧର୍ମ୍ମ ହୁଅନ୍ତା ନାହିଁ ସତ୍ୟ-ଅନ୍ଵେଷଣ…

 

କବିଙ୍କ ଧର୍ମ୍ମ କ’ଣ ?

 

ଯାହା ଚଞ୍ଚଳ, କ୍ଷୟଯୁକ୍ତ, ପରିବର୍ତ୍ତନଶୀଳ ତାହାକୁ ଅଚଞ୍ଚଳ, ଅକ୍ଷୟ ଓ ଅପରିବର୍ତ୍ତନୀୟ କରି ଏକ ଅମୃତର ସତ୍ତା ଆରୋପ କରିବା ହେଲା କବି-ଧର୍ମ୍ମ ।

 

ତମକୁ କଥା କହି ବେଶ ଆସେ କବି ! ଆନନ୍ଦ କ’ଣ ଶୋଇ ପଡ଼ିଲେ ?

 

ଏହା ସମ୍ଭବ । ତମକୁ ଯେପରି ରୂପ, ବେଶ ସଜାଇଆସେ, ତାଠାରୁ କ’ଣ ବେଶୀ ?

 

ହଁ, ମୁଁ ଏକ ଜୀବନ୍ତ ନାରୀକୁ ସଜାଏ, ମାତ୍ର ତମେ ସଜାଅ ଏହି ଜୀବହୀନ ଶଦ୍ଦାବଳୀକୁ-। କବିଙ୍କ ଲେଖନୀରେ ମୃତ ଅମୃତ ହୁଏ ।

 

ଆଉ ତମ ଭଳି ନାରୀହୃଦୟରେ ମଧ୍ୟ କ’ଣ ଅମୃତ ବର୍ଷାଏ ?

 

କେବଳ ନାରୀହୃଦୟ କାହିଁକି ? ଜୀବନ-ଉତ୍ସର ଅମୃତ ଓ ଆନନ୍ଦ ଧାରାରୁ ପାଣି ପିଇବାକୁ କିଏ ନ ଚାହେଁ ?

 

ହଁ, ନାରୀ ତ ଯୁଗେ ଯୁଗେ ଏହିପରି ସୃଷ୍ଟିର ଜୀବନ-ଉତ୍ସ ହୋଇଆସିଚି ।

 

ସୃଷ୍ଟିର ଜୀବନ-ଉତ୍ସ । କବି ! ତମେ ଚାଟୁବାଣୀ କହିବାରେ ବଡ଼ ପଟୁ ।

 

ସୁହାସିନୀ ହସିବାକୁ ଲାଗିଲେ । କବି ଯୋଗ କଲେ—

 

“କବି ଗୋଟିଏ କଥା ଚାହିଁବାରେ ପଟୁ ।’’

 

କ’ଣ ?

 

ଚିହ୍ନରା ଗ୍ରାହକ । ସେଥିପାଇଁ ଶତ ଶତ କବିଙ୍କ ଆୟୁଷ ଘେନି ଗୋଟିଏ ଚିହ୍ନରା ଗ୍ରାହକ ମିଳିଲେ କବି ସୁଖୀ ।

 

ସୁହାସିନୀ ତମର ସେପରି ଜଣେ ଚିହ୍ନରା ଗ୍ରାହିକା ଥିଲା ତ ?

 

ଥିଲା ବୋଧହୁଏ । ମାତ୍ର ମୋ କବିତାରୁ ତମେ ଯାହା ରସ ଗ୍ରହଣ କରିଚ, ମୁଁ ତମ ରୂପ, ଯୌବନରୁ ସେତେ ବେଶୀ ଗ୍ରହଣ କରିଚି । କେତେ ସନ୍ଧ୍ୟା, ରାତି ମୁଁ କଟାଇଚି ତମ ସହିତ ଉତ୍କଳ ଜନ୍ମଭୂମିର ସୁନ୍ଦର ପ୍ରକୃତି-ପୀଠରେ । କବିଙ୍କ ଆଖିରେ ଏହି ଶୋଭା-ଛବି ଦେଖିବାରେ ମୁଁ ନିଜ ଜୀବନକୁ ସାର୍ଥକ କରିଚି । ମନେ ଅଛି ସୁହାସିନୀ, ତମ ସଙ୍ଗେ ମୋର ପ୍ରଥମ ଦେଖାହୁଏ ବଡ଼ ଆକସ୍ମିକ ଭାବରେ ଏକ ଜନବିହୀନ ଶାନ୍ତ ପ୍ରକୃତିର ସ୍ନିଗ୍‌ଧ ଛାଇ ତଳେ ।

 

ଚଣ୍ତୀଖୋଲରେ ପହଞ୍ଚି ମୁଁ ଏକ ଗଛମୂଳେ ନିଜର ବାଟଚଲା କ୍ଳାନ୍ତି ଦୂର କରୁଥିଲି । ତମେ ସେଠାରେ ସେହି ସୁଶୀତଳ ଜଳାଧାରରେ ସ୍ନାନରତା ଥିଲ । ତୁମେ ଯେତେବେଳେ ହାତରେ ଗୋଟିଏ ଫୁଟିଲା କୋକନଦ ଧରି ପାଣିରୁ ଉଠି ଆସୁଥିଲ, ସେତିକି ବେଳେ ତମ ନଗ୍ନ ଦେହ, ରୂପର ଅନିନ୍ଦ୍ୟ ଶୋଭା ମୋ ଆଖିରେ ପଡ଼ିଥିଲା । ମୁଁ ଚଣ୍ତୀଖୋଲର ଶ୍ୟାମଗୁଳ୍ମମଣ୍ତିତ ଗିରିର ଶୋଭା ଭୁଲିଗଲି । ମଣିଷ ଅଙ୍ଗର ଶୋଭା ପ୍ରକୃତିକୁ ପରାଜୟ କରି ମୋ ପ୍ରାଣ, ମନକୁ ରସସିକ୍ତ କରିଦେଲା । ବିଶ୍ରାମାଗାରରେ ମୋ ମୁହଁର ମୋର ରୂପ-ବର୍ଣ୍ଣନା କବିତା ଶୁଣି ମୋର ସଙ୍ଗିନୀ ପାଲଟିଥିଲ ।

 

କବି, ଏ ତୁମ ମନର ରଙ୍ଗ । ମୋ ରୂପରେ କବିତା ଲେଖିଲା ଭଳି ଯାହା ଥିଲା ତାହା ଆଗରୁ ଝଡ଼ି ଯାଇଥିଲା । ପୂରା ମନେ ଅଛି, ଆମେ ସେଠାରୁ ସାଙ୍ଗ ହୋଇଗଲେ ଧବଳେଶ୍ଵର । ମହାନଦୀ ଗଣ୍ତର ନେଳିଆ ପାଣି ପାଖରେ ନେଳିଆ ପାହାଡ଼ଖୋଲରେ ସୂର୍ଯ୍ୟ ଅସ୍ତର ଛବି ଦେଖି ତମେ ଭୋଳ ହୋଇଥିଲ ?

 

ହଁ, ମନେପଡ଼ୁଚି, ତମେ ମୋ କାନ୍ଧରେ ହାତ ରଖି ମୋତେ ପୁଣି ଏହି ମାଟି-ଧରଣୀକୁ ଫେରାଇ ଆଣିଥିଲ । ମୁଁ ସୂର୍ଯ୍ୟାସ୍ତର ଗୋଲାପୀ ଆଭାକୁ ପରାସ୍ତକରି ତମରି ଗଣ୍ତରେ ଚୁମା ଦେଇ ଗଣ୍ତସ୍ଥଳୀକୁ ଆରକ୍ତ କରି ଦେଇଥିଲି…

 

ସୁହାସିନୀ ମୁହଁରେ ଲାଜ ।

 

ହଁ, ତିଗିରିଆର ଅଶୋକବନରେ ଯେତେବେଳେ ଆମେ ବୁଲୁଥିଲୁ, ସେତେବେଳେ ଅଶୋକ କିଶଳୟ ଓ ଫୁଲ ତୋଳି ଏହି ସୁହାସିନୀର କବରୀ ସଜାଇଥିଲ କବି ! ସେ ସାଜିଥିଲା ସୀତା, ତମେ ତାକୁ ଶ୍ରୀରାମ ବେଶରେ ଅଶୋକବନରୁ ଉଦ୍ଧାର କରିଥିଲ । ମନେପଡ଼ୁଚି ?

 

କବି ହସିବାକୁ ଲାଗିଲେ ।

 

ରାବଣ ସଂହାର ନ କରି ମଧ୍ୟ ମୁଁ ଶ୍ରୀରାମ ବନିଗଲି ରାବଣ ଭଳି ଅସୁର ମନରେ । ଆଉ ତାକୁ ଯେ ତମେ ମୋ ମନରୁ ସଂହାର ନ କରିଚ, ଏହା ତ ମୁଁ କହିପାରିବି ନାହିଁ ।

 

ନରସିଂହପୁର ବୁଢ଼ାବୁଢ଼ୀ ଘାଟୀର ହାତୀ ପିଠିରେ ଆମର ଯାତ୍ରା ମନେ ଅଛି ?

 

ନିଶ୍ଚୟ । ମନେ ନାହିଁ ବାଟରେ ବଣଫୁଲ ତୋଳି ଏହି ସୁହାସିନୀ ଜୁଡ଼ା ସଜାଇ କ’ଣ କହିଥିଲ ?

 

ମନେ ଅଛି ।

 

ହଁ, ତମେ ଶବରୁଣୀ ସାଜିଥିଲ । ମୁଁ ତ କେବଳ ଫୁଲ ତୋଳି ସଜାଇ ନ ଥିଲି, ବଣଦେବୀ ଆପେ ଆମେ ତୁମ ଚିକ୍‌କଣ କଳା ବାଙ୍କ ଜୁଡ଼ାରେ ଫୁଲ ଝାଡ଼ି ଦେଉଥିଲେ ।

 

କବି !

 

ଏ କଳ୍ପନା ନୁହେଁ, ବାସ୍ତବ ସୁହାସିନୀ !

 

ହଁ, ସେହି ହାତୀ ପିଠିରେ ଗଲାବେଳେ ମୋର ଅଙ୍ଗଲତା ତମ ବକ୍ଷ ଉପରେ ଲୋଟି ପଡ଼ୁଥିଲା । ସେ କି ମଧୁସ୍ପର୍ଶ ଓ ଶିହରଣ ।

 

ସୁହାସିନୀ ମୁହଁରେ ଯେପରି ଏକ ଅନିର୍ବଚନୀୟ ଆନନ୍ଦର ଛାୟା ଦେଖାଯାଉଥିଲା ।

 

କବି ପୁଣି କହିବାକୁ ଲାଗିଲେ—ଆମେ ଯେତେବେଳେ ତାଳଚେର କୋଇଲାଖଣିରେ ସେହି କଳା ପାତାଳପୁରୀକୁ ଯାଇଥିଲେ… । ତମେ ମୋର ଆପତ୍ତି ସତ୍ତ୍ଵେ ଗଲ । ତମେ ଭୟରେ ମୋତେ ଭିଡ଼ି ଧରୁଥିଲ । କୌଣସି ଶଦ୍ଦ ଶୁଣିଲେ ଭାବୁଥିଲି ହୁଏତ ସାଙ୍ଗହୋଇ ସମାଧି ସେଠି ନେବା ।

 

ସେପରି ମିଳନ-ସମାଧିରେ ସୁଖ ଥାନ୍ତା କବି !

 

ମରିବା ପାଇଁ ମଣିଷ ମାଟିକୁ ଆସେ ନାହିଁ, ଆସେ ବଞ୍ଚିବା ପାଇଁ ।

 

ରେଢ଼ାଖୋଲ, ପାଲଲହଡ଼ା ବାମଣ୍ତାର ଅଗନାଅଗନି ବନସ୍ତ ଭେଦକରି ହରିଣୀଯୁଗଳ ଭଳି ଆମ୍ଭେମାନେ ଉତ୍କଳ-ଜନନୀଙ୍କ ବହୁ ଶୋଭା ଦେଖିଥିଲେ ।

 

ପାଲଲହଡ଼ା ମାଲ୍ୟଗିରି ଉପରେ ଯେତେବେଳେ ସୁଶୀତଳ ପବନ ଆମ ଦେହରେ ବାଜିଲା, ଆମେ କି ଆନନ୍ଦ ପାଇଲେ ! ପିଲାଙ୍କ ଭଳି ଆମେ ପାହାଡ଼ ଉପରେ ଡେଇଁ ବୁଲୁଥିଲେ । ମନେଅଛି, ଗୋଟିଏ ଗୁମ୍ଫାରେ ଆମେ ନିରୋଳାରେ ବିଶ୍ରାମ ନେଇଥିଲେ ! …କି ମଧୁର ସେ ସ୍ଵପ୍ନ ଓ ସ୍ମୃତି !

 

ହଁ ମନେ ଅଛି । ଆଠମଲ୍ଲିକରୁ ବୋଇତରେ ବସି ଆମ୍ଭେମାନେ ସାତକୋଶିଆ ଗଣ୍ତରେ ଦୁଇଟି ମାଛ ଭଳି ଭାସିଯାଇଥିଲେ, ତମେ ବସିଥିଲ ପାଖକୁ ଲାଗି ।

 

ସବୁ ମନରେ ନାଚିଯାଉଚି । କବି ! ତମରି ପାଇଁ ସେ ସୁଖ ଓ ଶୋଭାର ଅସରନ୍ତି ଭଣ୍ତାର ମୁଁ ଦେଖିଲି । ମହାନଦୀର ନେଳିଆ ପାଣି ଦେହରେ ଆମର ବୋଇତ ଭାସିଗଲା ବେଳେ ଦୁଇ କୂଳରେ ଶାଗୁଆ ଶାଢ଼ୀ ପିନ୍ଧି ବଣ, ପାହାଡ଼ ଆମକୁ ଅଭ୍ୟର୍ଥନା ଜଣାଇଥିଲା ।

 

ବଣପକ୍ଷୀ ସଙ୍ଗେ ମୁଁ ଯୋଗ ଦେଉଥିଲି କବି ! ତମ ତନ୍ମୟତା ଓ ସ୍ତବଧତା ଭାଙ୍ଗିବା ସକାଶେ । ଆଉ ତମେ ଯେତେବେଳେ ସେହି ନୀରବ ନୀଳ ପାଣିରେ ତମ ମୁହଁର ପ୍ରତିଚ୍ଛବି ଦେଖି ଚମକି ଉଠିଥିଲ, ମୁଁ ପାଣି ଚହଲାଇ ତମର ରୂପ ଧ୍ୟାନ ଭାଙ୍ଗି ଦେଇଥିଲି । ମନେ ଅଛି ?

 

ସେ କ’ଣ ଭୁଲିବା କଥା !

 

ମାତ୍ର କବି ! ଗୋଟିଏ ସ୍ମୃତି ମନେ ପକାଇଦେବି, ରାଗିବ ନାହିଁ ?

 

କବି “କ’ଣ ?’’ କହି ଅନ୍ୟମନସ୍କ ହେଲେ । ତାହାଙ୍କ ମନରେ ହୁଏତ ସେହି ସରଳା ଆଦିମ ନୃତ୍ୟରତା ଯାଯାବର ବାଳିକାର ଛବି ନାଚିଗଲା । କବି-କହିଲେ— ସାତକୋଶିଆରୁ ଫେରି ସେଦିନ ଆମର ଅଭ୍ୟର୍ଥନା ପାଇଁ ବଂଧୁଗଣ ଏକ ନୃତ୍ୟ-ମଜଲିସର ଆୟୋଜନ କରିଥିଲେ-। ମଜଲିସ୍ ଆମର ଜମିଥିଲା ମୁକ୍ତ ଆକାଶ ତଳେ ଏକ ଆମ୍ଵ ତୋଟାର କଅଁଳ ଶାଗୁଆ ଘାସ ଉପରେ । ଆକାଶରେ ଥିଲା ଫଗୁଣ ଚାନ୍ଦ, ମାଟିରେ ଥିଲା ମଧୁ ମାସର ଫୁଲ ଓ ମଧୁ-। ବଣଫୁଲର ମହକରେ ସେହି ଗହଳିଆ ଆମ୍ଵତୋଟା ମଧ୍ୟ ଚହଟି ଉଠିଥିଲା । ସଞ୍ଜ ପରେ ପରେ ନୃତ୍ୟର ଯୋଗାଡ଼ ଲାଗିଗଲା । ବନ୍ଧୁମାନେ ମୋ ଅପେକ୍ଷାରେ ଥିଲେ । ତୁମେ ଦେହପୀଡ଼ା କହି ଶୋଇଲ, ମୁଁ ଏକାହୋଇ ବନ୍ଧୁ ଗହଣରେ ନାଟ ଦେଖି ଗଲି ।

 

ହଁ, ମୁଁ ଜାଣି ଜାଣି ରହିଲି ତମକୁ ସ୍ଵାଧୀନତା ଦେବା ପାଇଁ ସତେ, ଧନ୍ୟବାଦ ! ମାତ୍ର ସେହି ନୃତ୍ୟରତା ସରଳା ଯୁବତୀର ଚାହାଣିରେ କି ମଦିରା ଥିଲା କେଜାଣି, ମୁଁ ବିହ୍ଵଳ ହୋଇଗଲି । ମୁଁ କ୍ଷଣକ ପାଇଁ ଉତ୍କଳର ଛବିଳ ସୁନ୍ଦର ପ୍ରକୃତି ଓ ତୁମକୁ ମଧ୍ୟ ଭୁଲିଗଲି । ନୃତ୍ୟଗୀତ ପରେ ଆମ୍ଭେମାନେ ଫେରିଆସିଲୁ । ଫେରିଆସିବା ପୂର୍ବରୁ ମୁଁ ଯୁବତୀଟି ସଙ୍ଗେ ଟିକିଏ ପରିଚୟ ମାତ୍ର କରି ନେଇଥିଲି । ବନ୍ଧୁ ମାନଙ୍କ ବାଧାସତ୍ତ୍ଵେ ମୁଁ ଯେତେବେଳେ ସେହି ନର୍ତ୍ତକୀକୁ ପୁରସ୍କୃତ କରିଥିଲି, ତା ଦେହର ସ୍ପର୍ଶ ମୋତେ ମିଳିଥିଲା । ସେ ମଧୁର ସ୍ପର୍ଶ ଆଜି ମନେପଡ଼ିଲେ ବି ମନରେ କି ପୁଲକ !

 

ପଦ୍ମ ଭଳି ସୁଗୋଲ ଥିଲା ତାର ମୁହଁ ଓ ଆଖି, ଯେପରି ଏକ ପୂନେଇ ଚାନ୍ଦ ସେହି ବଣ ଭିତରେ ଶାଗୁଆ ଡାଳଫାଙ୍କରେ ଉଇଁଆସିଚି । ନର୍ତ୍ତକୀର ସୁଗଠିତ ଅଙ୍ଗ, ବର୍ତ୍ତୁଳ ଉରଜ, ଆଉ ତାର ଆୟତ୍ତ କଳା ଡୋଳା ଦୁଇଟିର ଚଞ୍ଚଳତା ମଧ୍ୟ ମୋ ଭଳି କବିର ଚିତ୍ତକୁ ଚଞ୍ଚଳ ପରିବର୍ତ୍ତରେ ଅଚଞ୍ଚଳ କରି ଦେଇଥିଲା । ସେମାନଙ୍କ ସାମାନ୍ୟ କୁଡ଼ିଆ ଦେଖି ମୁଁ ଫେରି ଆସିଥିଲି । ମାତ୍ର ସେ ରାତିରେ ମୁଁ ତୁମ ସଙ୍ଗେ ଆଉ କଥାବାର୍ତ୍ତା କରିପାରିଲି ନାହିଁ । କାରଣ ମୁଁ ବିଛଣାରେ ପଡ଼ିରହି ବି ସେହି ଯୁବତୀ-ନର୍ତ୍ତକୀର ରୂପ-ଲାବଣ୍ୟ ଚିନ୍ତା କରୁଥିଲି । କବି ! ମୁଁ ସବୁ ଜାଣେ, ତମେ କିପରି ରୂପରେ ମତୁଆଲା ହୁଅ; ମାତ୍ର କବିତାଟିଏ ଲେଖିସାରିଲା ପରେ ତମର ସେହି ମାଦକତା ଶେଷ ହୋଇଯାଏ ।

 

ତମେ ସେଦିନ ଜାଣିଥିଲ ମୋ ମନର କଥା ! ବାଃ ! କିନ୍ତୁ ମୋ ମନକଥା ଫିଟାଇ କବି ଉପେନ୍ଦ୍ରଭଞ୍ଜ ସେଦିନ ସେ ଆଦିମ ଯୁବତୀ କଣ୍ଠରେ ଗାଇଥିଲେ—

 

“ଆହା ମୋ ଲାବଣ୍ୟନିଧିରେ

ହରାଇ ବସିଲି ବୁଦ୍ଧିରେ ।

ଯେ ଦିଗେ ଚାହିଁଲେ ଧନ,

ଦିଶେ ତୋ ଚନ୍ଦ୍ରବଦନ

ଏବେ କେମନ୍ତେ ବ଼ଞ୍ଚିବି ଦିନ ରେ ।

ସଖି ମୁଁ ଧରୁଚି କର

ଏଥକୁ ଉପାୟ କର

ଏବେ ତୋ ଚିନ୍ତା ମୋ ହୃଦେ ଗାର ରେ ।’’

 

ତମ ଭଳି ଯେଉଁ କବି ଏ ଗୀତ ଲେଖିଛନ୍ତି, ସେ ବି ଗୀତଟି ଲେଖିସାରି ନିଶ୍ଟୟ ରୂପସୀକୁ ଭୁଲିଯାଇଥିବେ !

 

ତମେ କବିର ମନ ଜାଣିଲ କିପରି ?

 

ଜୀବନ ସାରା ତମ ଭଳି କବିଙ୍କ ସାଥୀହୋଇ ଏହା ଜାଣିଚି ।

 

ତମକୁ ତ ମୁଁ ଭୁଲି ନାହିଁ !

 

ହଁ, ଏହି ଯେ ଭୁଲିବାର କାହାଣୀ ଆପେ ଆପେ ମୁହଁରେ ମାନିଲ ।

 

କବି ହସିଲେ ।

 

ମୁଁ ସେଦିନ ରାତିରେ ତୁମ ସଙ୍ଗେ କଥାବାର୍ତ୍ତା ହୋଇପାରି ନ ଥିଲି; କାରଣ ମନ, ପ୍ରାଣ ଭିତରେ ସେହି ନର୍ତ୍ତକୀର ସ୍ମୃତି ବଡ଼ ନିବିଡ଼ ଓ ସତେଜ ଥିଲା ।

 

କବି ! ମୁଁ ଜାଣେ ।

 

ମାତ୍ର ପରଦିନ ଯେତେବେଳେ ସକାଳୁ ମୁଁ ଯିବା ପୂର୍ବରୁ ସେହି ସରଳା ଯୁବତୀ ଆମ ବସାକୁ ଆସିଲା, ତମେ ତାକୁ ଦେଖି ହୁଏତ ମନରେ ଚମକ ପାଇଲ । ନାରୀର ରୂପ ଏକ ଆରକଠାରୁ କି ବିଚିତ୍ର ! ମାତ୍ର ପୁରୁଷର ମନ ଭୁଲେ ଏହି ରୂପ ଓ ଶୋଭା ବିପଣୀର ବୈଚିତ୍ର୍ୟ ମଧ୍ୟରେ । କାହାର ସଙ୍ଗେ କାହାର ତୁଳନା ହୋଇ ନ ପାରେ । ପ୍ରତ୍ୟେକେ ଏକ ଏକ ନୂତନ ସୃଷ୍ଟି, ଅପରୂପ ରୂପସମ୍ଭାର ।

 

ସୁହାସିନୀ ନୀରବରେ ନାରୀ-ବନ୍ଦନା କବି ତୁଣ୍ତରୁ ଶୁଣୁଥିଲା । ସରଳା ଆଦିମ ଯୁବତୀ ଅଳ୍ପ କଥାବାର୍ତ୍ତା କରି ତାର ପ୍ରତିଦାନ ମୋତେ ଦେଇଗଲା ତାଙ୍କର ନିଜ ହାତତିଆରି ଟଙ୍କା ରଖିବାର ଏକ ସୁନ୍ଦର ପିତ୍ତଳନିର୍ମିତ କରାଟ । ମାତ୍ର ସେ ଗଲା ପରେ ତୁମେ ମୋ ଉପରେ ହୁଏତ ଅଭିମାନ କଲ । ତୁମେ ନିଶ୍ଟୟ ଭାବିଲ— କବିଚିତ୍ତ ଆଉ କେହି ରୂପସୀ ଲୁଟିନେଇଛି । ମୋର କଥାବାର୍ତ୍ତା ଏବଂ ଭାବଭଙ୍ଗୀରୁ ତୁମେ ନିଶ୍ଟୟ ମୋ ମନ କଥା ଜାଣିପାରିଥିଲ । ଜାଣ, ସୁହାସିନୀ ! ଯେ ପ୍ରକୃତ କଳାବିତ୍, ସେ କେବେ ତା ମନ ଲୁଚାଇପାରେ ନାହିଁ । ଶ୍ରେଷ୍ଠ କଳା ହୁଏ କଳାବିତ୍ ମନର ନିଖୁଣ ପ୍ରକାଶ ।

 

ତୁମେ ଭୁଲ ବୁଝୁଚ କବି, ମୁଁ ମଧ୍ୟ ସେହି ଆଦିମ ସରଳା ଯୁବତୀର ରୂପରେ ମୁଗ୍‌ଧ ହୋଇଥିଲି ।

 

ତମେ ! ନିଶ୍ଟୟ । ରୂପରେ କିଏ ମୁଗ୍‌ଧ ନ ହୁଏ ? ଜଣେ ପୁରୁଷ ନାରୀର ରୂପରେ ମୁଗ୍‌ଧ ହେଲେ ମଣିଷ ଏପରି ମୁଗ୍‌ଧ ଜନଙ୍କୁ ଅପବାଦ ଦିଏ କାହିଁକି ?

 

ସୁହାସିନୀ ଉତ୍ତର ନ ଦେଇ ନୀରବ ରହିଗଲା ।

 

କବି ପୁଣି କହିବାକୁ ଲାଗିଲେ— ମୁଁ ସେଦିନ ଜାଣି ଜାଣି ପୁଣି କଇଁତରା ଗଡ଼ରେ ରହିଲି । ପାଖରେ ଥିବା ପଞ୍ଚଧାର ପାହାଡ଼ର ଦୃଶ୍ୟ ଦେଖି ସଞ୍ଜକୁ ଫେରିଆସି ପୁଣି ନାଚ ଦେଖିବାକୁ ଗଲି । ସେଦିନ ସନ୍ଧ୍ୟାରେ ତୁମେ ବି ମୋ ସହିତ ବାହାରିଲ । ମୁଁ ମନେ ମନେ ହସିଲି; କାରଣ ତୁମେ ହୁଏତ କବିର କଟୁଆଳ ହେବାକୁ ଇଚ୍ଛା କଲ ।

 

କବି ମନର କଟୁଆଳ ହେବାକୁ ଶକ୍ତି ଦୁନିଆରେ କା’ର ଅଛି ?

 

ତୁମେ ବୁଝୁଚ । କିନ୍ତୁ ସେଦିନ ସଞ୍ଜରେ ମଧ୍ୟ ପୂର୍ବଦିନ ଭଳି ସେହି ଆଦିମ ନାରୀର ଶୋଭା ମୋ ଆଖି ଆଗରେ ଲୋଭନୀୟ ହୋଇଥିଲା…

 

ହଁ, ଜାଣେ କବି ! ମୁଁ ନ ଥିଲେ ତୁମେ ହୁଏତ ସେହି ଆଦିମ ଯୁବତୀକୁ ବରି ଆଣିଥାନ୍ତ ପ୍ରେୟସୀ କରି ।

 

କ୍ଷତି ବିଶେଷ କ’ଣ ହୋଇଥାନ୍ତା ?

 

ମୁଁ, ତ କ୍ଷତି କଥା ଉଠାଉ ନାହିଁ । ମୁଁ ଜାଣେ, ପରଦିନ ଆମ୍ଭେମାନେ ବୌଦରେ ଜୀବନ୍ତ ଚାରୁ ଶୋଭା ଛାଡ଼ି ମଜ୍ଜିରହିଲେ ଚତୁର୍ବ୍ୟୂହ ଗନ୍ଧରାଡ଼ି ମନ୍ଦିରର ପ୍ରାଚୀନ କାରୁକଳା ଦେଖିବ ରେ । ଅତୀତ ଯେତେବେଳେ ଆମ ପ୍ରାଣରେ ନିବିଡ଼ ହୋଇ ଉଠୁଥିଲା, ତମେ ସବୁବେଳେ ଅନ୍ୟସନସ୍କ ଥିଲ । କହିଲ-‘‘ମୃତ, ଅତୀତ ଯଦି ବର୍ତ୍ତମାନକୁ ଜାଗ୍ରତ, ଉନ୍ନତ ନ କରିପାରିଲା, ତାହାର କି ପ୍ରୟୋଜନ ?’’ କିନ୍ତୁ ଝାର ବଉଦିଆ, ଖଣ୍ତ ବଉଦିଆ ଓ ବୌଦ୍ଧ ଗଡ଼ରେ ପ୍ରକାଣ୍ତ, ପ୍ରଶାନ୍ତ ବୁଦ୍ଧମୂର୍ତ୍ତି ଦେଖି ତମ ପ୍ରାଣ ଟିକିଏ ଶାନ୍ତି ପାଇଲା ବୋଧହୁଏ ?

 

ହଁ, ମୁଁ ପ୍ରେମ ଓ ରୂପ ଭୁଲି ବୁଦ୍ଧଙ୍କ ଭଳି ଉନ୍ନତତର ଶୁଦ୍ଧ-ଭୂଇଁକୁ ଗତି କରି ଯାଇଥିଲି । ଯଶୋଧାରାଙ୍କ ରୂପଧାରା, ଶିଶୁ ରାହୁଳର ହସହସ କଅଁଳ ମୁହଁ ଯାହାଙ୍କୁ ବାନ୍ଧି ନ ପାରିଲା, ତାଙ୍କର ସ୍ମୃତି ନିଶ୍ଚିୟ ପୁଣ୍ୟପ୍ରଦ । କି ବିରାଟ ସେ ବ୍ୟକ୍ତିତ୍ଵ !

 

ସୁହାସିନୀ ହସିହସି କହିଲା— କବି ମନ ଏକ ବିଚିତ୍ର ସୃଷ୍ଟି । ବୁଦ୍ଧ ବି କବିକୁ ବାନ୍ଧିପାରନ୍ତି ନାହିଁ । କାରଣ ସୋନପୁରରେ ତ ପୁଣି ତୁମେ ରୂପ, ଫୁଲ, ନାଚ ଗୀତରେ ଭୋଳ ହେଲ !

 

ଠିକ୍ ଆଠମଲ୍ଲିକ ପରି ନୁହେଁ । ମୁଁ କହୁଚି ଶୁଣ । ଲୁଚାଇବାରେ କିଛି ନାହିଁ । ସୋନପୁର, ସମ୍ଵଲପୁରରେ ନର-ନାରୀଙ୍କ ଅବାଧ ମିଳାମିଶା ଯେପରି ଦେଖିଲି, ଉତ୍କଳର ଉପକୂଳ ଅଞ୍ଚଳରେ ସେପରି ଦେଖାଯାଏ ନାହିଁ । ଏଠାରେ ନାରୀ ପ୍ରକୃତି ପ୍ରଭାବରେ ପ୍ରଭାବିତା ।

 

କେଉଁଠି ନୁହେଁ କବି !

 

ସେଠାରେ ନାରୀମାନଙ୍କ କଳା ବାଙ୍କଜୁଡ଼ା ମଲ୍ଲୀଫୁଲ ବେଢ଼ାହୋଇ ଅପୂର୍ବ ଶୋଭା ଧାରଣ କରେ । ସୁହାସିନୀ ! ତମେ ବି ସେଠି ଯେଉଁ ପରିମାଣରେ ଫୁଲ-ପ୍ରେମିକା ପାଲଟିଗଲ, ମୋର ସନ୍ଦେହି ହେଲା ଘରକୁ ଫେରିଗଲେ ତୁମେ ହୁଏତ ସ୍ଵତନ୍ତ୍ର ଫୁଲ-ବଗିଚା ରଚନାରେ ତମ କାଳ କାଟିଦେବ ।

 

ସେ ମଧୁ-ସ୍ମୃତି ଆଜି ମନେପକାଇ କି ଲାଭ କବି ! ଖାଲି ମଧୁ ନୁହେଁ; ମଧୁର ମଧ୍ୟରେ ତିକ୍ତତା ବି ଥିଲା, ଯାହା ମଧୁରକୁ ମଧୁରତର କରିପାରିଥିଲା ।

 

ତିକ୍ତତା ? କବିଚିତ୍ତରେ ? ନାଁ, ମୋ ହୃଦୟରେ ନୁହେଁ; ସୁହାସିନୀ ଭଳି ନାରୀ ପ୍ରାଣରେ-

 

ନାଁ କବି ! ତୁମେ ହୁଏତ ମୋତେ ଭୁଲ ବୁଝୁଚ ।

 

ମୁଁ କହୁଚି, ଶୁଣ ! ଆମକୁ ପାଣି ଦେଉଥିଲା ଗୋଟିଏ ଝିଅ, ପୁଇନ ହୁଏତ ତା ନାଁ । ସେ ଯୌବନରେ ମାତ୍ର ପାଦ ଦେଇଥିଲା । ତାର ସରଳ ଚାହାଣିରେ ଏମିତି କିଛି ମାଦକତା ନ ଥିଲା; ତଥାପି ସେ ଆମ ବସାକୁ ପାଣି ଦେବାକୁ ଆସିଲାବେଳେ ତମେ ଶଙ୍କିତା ହୋଇ ଯାଉଥିଲ । କାରଣ ତା ଉପସ୍ଥିତିରେ ମୋର ଯୁବକ-ଚିତ୍ତ ଆନନ୍ଦ ପାଉଥିଲା ।

 

ସୁହାସିନୀ ବର୍ତ୍ତମାନ ବି ଶଙ୍କିତା ହରିଣୀ ଭଳି କବିଙ୍କ ମୁହଁକୁ ଚାହିଁରହିଲା ।

 

ବିଦାୟ ଦିନ ପୂର୍ବରୁ ଯେତେବେଳେ ମୁଁ କାଚ ମୁଠିଏ କିଣିବାକୁ ତାକୁ ପଇସା ଦେଲି, ତାର ଯେ କି ଆନନ୍ଦ ହୋଇଥିଲା ମୁଁ ଜାଣିପାରି ନ ଥିଲି । ମାତ୍ର ପରଦିନ ଯେତେବେଳେ ଆମେ ସୋନପୁର ଛାଡ଼ି ଯାଉଥିଲେ, ସେ ବାଟ ପାଖରେ ତାର ନୂଆ କାଚ ପିନ୍ଧି ପଥଭୁଲା ବଣ-ହରିଣୀ ଭଳି ଛିଡ଼ା ହୋଇଥିଲା । କି ମୌନ ଓ ମଧୁର ସେ ଚାହାଣି ! ତା ଆଖିରେ କଥା ଥିଲା; ସେ କହିପାରୁ ନ ଥିଲା । ତା କଣ୍ଠରେ କବିତା ଥିଲା; ସେ ଗାଇ ପାରୁ ନ ଥିଲା । ମୁଁ ଜାଣିଥିଲି ତା ଅନ୍ତରର ଲୁଚିରହିଥିବା ସ୍ଵପ୍ନ ଓ ସତ୍ୟ…

 

ସେଥିପାଇଁ ତ ତମେ କବି । କବିର ଧର୍ମ ହେଲା ଏହି ମୌନ ଲୋକଙ୍କ ମୁହଁରେ ଭାଷା ଦେବା… । ସେ ନାରୀ ହେଉ ବା ନର ହେଉ ।

 

କବି ଚିନ୍ତାମଗ୍ନ ହେଲେ । ହୁଏତ ଏହି କଥାପଦକ ତାଙ୍କୁ ଟାଣି ନେଇଗଲା ଆଉ କେଉଁ ସମସ୍ୟାକୁ ।

 

“ହଁ ମାରି କବି ଆରମ୍ଭ କଲେ— ସେ ବି ନାରୀତ୍ଵର ଏକ ଛବି, ଯାହାକୁ ମୁଁ ବି ଆଜି ଭୁଲିପାରି ନାହିଁ । ମାତ୍ର ତୁମେ ସେଦିନ ସୁହାସିନୀ ଅଭିମାନରେ କହିଲ ତୁମ ମୁଣ୍ତ ବିନ୍ଧୁଛି; ମିଛରେ ନିଶ୍ଚୟ ।

 

ସୁହାସିନୀ ହସିଲା । ହସିହସି କହିଲା— ମିଛରେ ନୁହେଁ, କବି ! ନାରୀ ବଡ଼ ସ୍ଵାର୍ଥପରାୟଣା । ତାର ମାୟାବନ୍ଧନରେ ସେ ଯାହାକୁ ବାନ୍ଧେ, ତାହାକୁ ସେ ଗୋଟିପଣ ବାନ୍ଧେ । ତହିଁରେ କାଳେ ପ୍ରତିବନ୍ଧକ ସୃଷ୍ଟି ହେବ, ସେଥିପାଇଁ ସେ ଚମକେ । ସେଥିପାଇଁ ଅନ୍ୟ ନାରୀ ପ୍ରତି ଈର୍ଷା, ହିଂସା, ଦ୍ଵେଷ ତାର ସ୍ଵଭାବରେ ପ୍ରକାଶ ପାଇଯାଏ । ଏହା ନାରୀର ଦୁର୍ବଳତା ହୋଇପାରେ, ନୋହିଲେ ଅବଳା ଆଖ୍ୟା ସେ ପାଇଲା କାହିଁକି ?

 

ହଁ, କିନ୍ତୁ ପାଟଣାରେ ରହିଲାବେଳେ ଆମ ଜୀବନରେ ଏକ ପରିବର୍ତ୍ତନ ଆସିଥିଲା ସୁହାସିନୀ ! ପ୍ରଥମେ ଆମେ ପ୍ରକୃତି, ବଣ, ଗଛଲତା ଭୁଲି ବୌଦ୍ଧ ଭଳି ଇତିହାସର ବହୁ ସ୍ମୃତିଭରା ଅତୀତରେ ମଜ୍ଜି ରହିଯାଇଥିଲେ । ରାଣୀପୁର ଝରିଆଳରେ ସେଥିପାଇଁ ମୁଁ ସେହି ଭଙ୍ଗାମନ୍ଦିର ଚଟାଣରେ ଛିଡ଼ାହୋଇ ତୁମକୁ ସୁହାସିନୀ ମହା ନଟୀ ରୂପେ ମନେ ମନେ ପରିକଳ୍ପନା କରି ପଚାରିଥିଲି, “ନାଚିଆସେ ?’’ ତୁମେ ମୋ ମନ କଥା ବୁଝିପାରି ନ ଥିଲ ସେତେବେଳେ ସୁହାସିନୀ-!

 

ସୁହାସିନୀ ଓଠରେ ହସ । କବି ! ତୁମେ ବଡ଼ ରହସିଆ !

 

ମନେପଡ଼ୁଚି ହରିଶଙ୍କରରେ ସେହି ସୁଶୀତଳ ଝରରେ ଗାଧୋଇ ନିର୍ଜନ ବନଘେରା ମନ୍ଦିରଚଟାଣରେ ଧ୍ୟାନୀ ବୁଦ୍ଧଙ୍କ ମୂର୍ତ୍ତି ଦେଖି ତୁମେ ମଧ୍ୟ ଧ୍ୟାନମଗ୍ନ ହେଲ ।

 

ସେ ଦୀର୍ଘ ଭ୍ରମଣ ସମୟରେ ବହୁବାର ତ ମୋ ଧ୍ୟାନ ଭାଙ୍ଗିଚ, ମୋତେ ଖସଡ଼ା ବାଟରୁ ଧରି ରଖିଚ । ଆଜି କିନ୍ତୁ ଧ୍ୟାନ ଭାଙ୍ଗିବାକୁ ମୋର ଶକ୍ତି ନାହିଁ କବି !

 

ବୁଝିଲି, ହୁଏତ ତୁମେ ନିଜେ ଚିର ଧ୍ୟାନମଗ୍ନା ହେବାକୁ ବସଚ । ଧ୍ୟାନ ଆନନ୍ଦ ଓ ଆରାମ ଦିଏ ।

 

ନରସିଂହନାଥରେ ମଧ୍ୟ ତୁମର ସେହି ଅବସ୍ଥା ଘଟିଥିଲା । ତୁମେ ଯେତେବେଳେ ହରିଶଙ୍କରରୁ ପାହାଡ଼, ବଣ ଦେଇ ‘ସପ୍ତଧାର’, ‘କପିଳଧାର’ ପାଖେ ପାଖେ ଯାଇଥିଲ, ମୁଁ ତୁମର ଅନୁଗାମିନୀ ହୋଇଥିଲି; ମାତ୍ର ନିର୍ଜ୍ଜନ ଶ୍ୟାମବନ କୋଳରେ ପାହାଡ଼ପ୍ରପାତର ଜଳ-ଖେଳ ତୁମକୁ ଏମିତି ମୂକ ଓ ମୌନ କରିଦେବ ବୋଲି ମୁଁ ଆଗରୁ କେବେ ଜାଣି ନ ଥିଲି । କାରଣ ବାମଣ୍ତା ଦେବଗଡ଼ର ‘ପ୍ରଧାନପାଟ’ ପାଖରେ ତୁମେ ମୋ ସଙ୍ଗେ ଖେଳିଥିଲ । ପ୍ରଧାନପାଟ ଭୀଷଣ ନୁହେଁ; ମାତ୍ର ସପ୍ତଧାର, କପିଳଧାର ତୁମକୁ ଏମିତି ଗଭୀର ଚିନ୍ତାରାଜ୍ୟକୁ ଘେନିଯିବ ବୋଲି ମୁଁ ଆଗରୁ କଳିପାରି ନ ଥିଲି । ନରସିଂହନାଥ ଭଳି ରମଣୀୟ ସ୍ଥାନରେ ତୁମ ପ୍ରାଣ ସାରା ଦିନ, ରାତି ନୀରବ ନିସ୍ପନ୍ଦ ହୋଇ ଧ୍ୟାନରେ ମଜ୍ଜିଲା । ମୁଁ କେତେ ତୁମକୁ ପଚାରିଛି, “କବି ! ଏତେ କ’ଣ ଭାବୁଚ ?’’ କିଛି ଉତ୍ତର ଦେଲ ନାହିଁ, ମୋ ପାଖରେ ମଧ୍ୟ ବସିଲ ନାହିଁ ।

 

ସେ ମଧୁ ଅତୀତର ଉଦ୍ଦୋଧନ ଆଉ କାହିଁକି ? ଉଦ୍ଦୋଧନ ବ୍ୟତୀତ ଯେ ମଣିଷ ଉଦ୍ଦୁଦ୍ଧ ହୁଏ ନାହିଁ । କବି ସୁହାସିନୀ ମୁହଁକୁ ଗଭୀର ଅନୁରାଗଭରା ଦୃଷ୍ଟ ରେ ଚାହିଁରହିଲେ ।

 

ଆମେ ଯେତେବେଳେ ଖରସୁଆଁର “କୁଲାଚକ୍କ” ଭଙ୍ଗା ପାହାଡ଼ର ନଈ ପାଣିରେ ଛିଡାହୋଇ ନିକାଞ୍ଚନ ବଣ ପାହାଡ଼ର ଦୃଶ୍ୟ ଦେଖୁଥିଲେ, ତୁମେ ମୋତେ ପଚାରିଥିଲ, କହିଲ, ଉତ୍କଳ ପ୍ରକୃତି କେଉଁଠି ସବୁଠାରୁ ବେଶୀ ସୁନ୍ଦର ?

 

ମୁଁ ବଡ଼ ଅଡ଼ୁଆରେ ପଡ଼ଥିଲି କବି !

 

ସୁନ୍ଦର ଗୋରା ରଙ୍ଗରେ ନା କଳା ରଙ୍ଗରେ ଅଛି ? ତୁମକୁ ରୂପ-ପୂଜାରୀରୂପେ ମୁଁ ଧରିନେଇଚି ଏବଂ ତୁମର ରୂପ ବିଷୟରେ ମତାମତ ମୋର ଚରମ ମତ । ଦେଖିଚି ତୁମେ ସିଂହଭୂମିର ମୁଗୁନିକଳା ହୋ ଯୁବତୀର ଚପରେ ଯେପରି ବିଭୋର ହୋଇଚ, କେତେ ଗୋରୀ ନାରୀମୂର୍ତ୍ତି ଦେଖି ତୁମେ ସେହିପରି ସମପରିମାଣରେ ଆନନ୍ଦ ପାଇଚ । ପ୍ରକୃତରେ ତୁମେ ଯେପରି ବିଭିନ୍ନ ନାରୀର ଭିନ୍ନ ଭିନ୍ନ ରୂପ ଦେଖି ତନ୍ମୟ ହୁଅ, ମୁଁ ସେପରି ପ୍ରକୃତିର ଏହି ରୂପ-ବୈଚିତ୍ରରେ ଏପରି ବିଭୋର ହୁଏ ଯେ ମୋତେ କିଏ ଭଲ, କିଏ ଭଲ ନୁହେଁ ଏ ବିଚାର ଆସେ ନାହିଁ । ତୁମେ ତ ପ୍ରକୃତି-ପ୍ରେମରେ ଜୀବନର ମାୟା ମଧ୍ୟ ଭୁଲିଚ କେତେ ବାର । ଯଦି ବରେହିପାଣି ଭଳି ପ୍ରପାତରୁ ତୁମେ ବଞ୍ଚି ନ ଥାନ୍ତ ?

 

ସୁହାସିନୀ ଜିଭ କାମୁଡ଼ି ପକାଇଲା ।

 

ମେଘାସନ ପାହାଡ଼ ଉପରେ ଶିମିଳିପାଳର ଶ୍ୟାମ ଶୋଭା ତୁମର ନୟନାଭିରାମ ହୋଇଥିଲା; ମାତ୍ର ଆମେ ଭେଟିଥିବା ସେହି ବଣହାତୀ ସେପରି ମୋ ହୃଦୟକୁ ଭୟଭୀତ କରାଇଥିଲା । ତୁମେ କିନ୍ତୁ କବି ନିର୍ବିକାର । ନିଷ୍କାମତା ତମ ଅନ୍ତରର ପ୍ରତି ସ୍ତରରେ ଜଡ଼ିରହିଚି । ସେଥିପାଇଁ ଶତଚେଷ୍ଟା କରି ମଧ୍ୟ ମୁଁ ତୁମକୁ ମୋ ଦେହ-ତୀର୍ଥରେ ବାନ୍ଧି ରଖିପାରିଲି ନାହିଁ ।

 

କେନ୍ଦୁଝର ସୀତାବିଞ୍ଜରେ ରାବଣ ଛାଇଅଙ୍କା ପଥର ତଳେ ବସି ତମେ ମୋତେ ଗୋଟିଏ ପ୍ରଶ୍ନ ପଚାରିଥିଲ, ମନେ ଅଛି କବି ?

 

କ’ଣ ?

 

ଏହି ପରିଭ୍ରମଣ କିପରି ଲାଗିଲା ? ମୁଁ ନୀରବ ରହିଲି ।

 

ଗୋପାଳପୁରର ସମୁଦ୍ରତୀରରେ ଆମେ ଯେତେବେଳେ ବସି ଅସ୍ତଗାମୀ ସୂର୍ଯ୍ୟ ସଙ୍ଗେ ନୀଳ ଲହଡ଼ୀର ଜଳକ୍ରୀଡ଼ା ଦେଖୁଥିଲେ, ତମେ ଗାଇଥିଲ ‘ଯାତ୍ରା ଶେଷ କବିତା’, ଯାହା ଆଜି ବି ମୋର କଣ୍ଠସ୍ଥ ଅଛି ।

 

ଯାତ୍ରା ଶେଷେ ପଥିକବଂଧୁ

 

ଭୁଲନା ଧୂଳିପଥ……

 

ମୁଁ ଧୂଳିପଥ ଭୁଲି ନାହିଁ କବି, ମାତ୍ର ମୋତେ ଆଜି ଧୂଳିପଥ ଭୁଲିଚି ।

 

ଏକା କ’ଣ ଶେଷ ଭୁଲା ?

 

ତାହାର ଉତ୍ତର ମୁଁ କବି ! ଦେଇପାରିବି ନାହିଁ । ଜୀବନର ଏତେ ମଧୁର, ସୁନ୍ଦର ଉପଭୋଗ୍ୟ ସାମଗ୍ରୀ ଥାଉଁ ଥାଉଁ ମଣିଷ ହା ହୁତାଶ ଦୀର୍ଘନିଶ୍ଵାସ କାହିଁକି ଛାଡ଼େ ?

 

ତୁମ ଭଳି କବିର ସ୍ପର୍ଶ ନ ପାଏ ବୋଲି ।

 

ମୋ ପକ୍ଷରେ ଜୀବନ ଥିଲା ଅସହ୍ୟ । ସୁକାନ୍ତ ଭଳି ଯୁବକ ଆସିଥିଲେ, ଶ୍ରୀମନ୍ତ ଭଳି ବୈପତ୍ନୀକ ଆସିଥିଲେ, କହି ନାହିଁ ଆଉ କେତେ ବେଦେଶୀ ରସିକ ଆସିଥିଲେ, କାହାକୁ ହସି କଥା ପଦେ କହିଛି, କାହାକୁ ଆଖିରେ ଉତ୍ତର ଦେଇଛି, କିଏ ମୋର ଓଠ, ବକ୍ଷ ଚାହାଣି ଦେଖି ରସିଯାଇଥିଲା; ମାତ୍ର ସମସ୍ତେ ଖସିଛନ୍ତି ଶୁଖିଲା କଷି ଝଡ଼ିଲା ଭଳି । କିନ୍ତୁ ତୁମେ ମୋ ଜୀବନ ଓ ପ୍ରାଣକୁ ପରିପୂର୍ଣ୍ଣ କରିଦେଇଥିଲ ରସରେ ।

 

ଆଜି ସେହି ରସ ପର୍ବର ବିସର୍ଜନ ଦିନ ।

 

ବିସର୍ଜନ ପରେ ତ ପୁଣି ବିଜୟା ଉତ୍ସବ ଆସେ । ପ୍ରତିବର୍ଷ ଦେବୀର ଆବିର୍ଭାବ ଶାରଦୀୟ ପୀଠରେ ହୁଏ । କାଶତଣ୍ତୀ ଫୁଲ ଫୁଟେ, ଧରଣୀର କଅଁଳ ମାଟି ତୁଣ୍ତରେ ଫଳ ଫୁଲ ଶସ୍ୟର ସଙ୍ଗୀତ ଉଠେ । ଆକାଶରେ ମେଘର ଭସାଣୀ ଛୁଟେ । ବସୁଧା ହସେ । ମଣିଷର ଏହି ଚିରନ୍ତନା ଜୀବନର ପୂଜା, ଉତ୍ସବ ଲୀଳା ଲାଗେ ।

 

ତମେ ଯେ ଆଜି କବି ପାଲଟିଛ ସୁହାସିନି !

 

କବିତ୍ଵ ସଂକ୍ରାମକ ।

 

କିନ୍ତୁ ଜାଣ, ମଧୁମାସର ମାଧବୀ ରାତି, ସ୍ନିଗ୍‌ଧ ନୀଳ ଆକାଶ, ଫୁଲ ଓ ଫଳର ସମ୍ଭାର ଶାଗୁଆ ଧରଣୀକୁ ବସନ୍ତରାଣୀ ରୂପରେ ସଜାଏ; ମାତ୍ର ତା ପରେ ଆସେ ପ୍ରବଳ ଓ ପ୍ରଚଣ୍ତ ତପ୍ତ ଝଞ୍ଜା ଓ ଝଡ଼ । କେତେ ଡାଳ ଭାଙ୍ଗେ, କେତେ ଘର ଛପର ଉଡ଼େ, ଉତ୍ତପ୍ତ କିରଣଜାଲରେ ଧରଣୀ ସନ୍ତପ୍ତ ହିଁ ହୁଏ ।

 

ରହିଗଲ କାହିଁକି ? ଧରଣୀ ସବୁଦିନେ ଉତ୍ତପ୍ତ ରହେ ନାହିଁ, ଯେଉଁ ଆକାଶ ଶୁଷ୍କ ଶୂନ୍ୟ ଥାଏ, ତହିଁରେ ଆବିର୍ଭାବ ହୁଏ ଧଳା କଳା ଜଳଦସମ୍ଭାର । ଯେଉଁ ମାଟି ରୁକ୍ଷରିକ୍ତ ଥାଏ, ତାହା ହୁଏ ସିକ୍ତ । ଯାହା ଧୂସର ଧୂଳିରେ ଆବୃତ ଥାଏ, ତାହା ହୁଏ ଦୂର୍ବାବିମଣ୍ତିତ । ଏହି ବିଚିତ୍ର ବିବର୍ତ୍ତନ ଦେଇ ଆମେମାନେ ପୁଣି ବିଜୟାର ସମ୍ମୁଖୀନ ହେଉ ।

 

ଚମତ୍କାର ! କବି ହସିବାକୁ ଲାଗିଲେ । କିନ୍ତୁ ସୁହାସିନୀ ! ତମର ଏହି ବିସର୍ଜନ ଦିନରେ ମୁଁ ଆସିଥିଲି ବିଦାୟ ନେବାକୁ । ତମର ଶବକୁ ଯେ ଗତ ସଂଧ୍ୟା ଝଡ଼ରେ ସମସ୍ତେ ଛାଡ଼ି ଚାଲିଗଲେ-

 

ତହିଁରେ ମୋର ଶୋଚନା ନାହିଁ ।

 

ମରଣ ପରେ ଦେହ ଘେନି କାହାର ମନ ଚିନ୍ତା କରେ ନାହିଁ ।

 

ଏ ମଲା ଦେହ ପ୍ରତି ମାୟା ନାହିଁ । ମଲା ଶିଶୁ ପ୍ରତି ମୋର ଯେତିକି ମୋହ…

 

ମୋହ ! ହଁ, ଏ ଦେହ ରହିବ ନାହିଁ । ଏହା ପାଉଁଶ, ମାଟି, ପାଣି ପବନରେ ପରିଣତ ହେବ । ପଞ୍ଚଭୂତକୁ ଆମେ କେତେଦିନ ପ୍ରାଣଦେଇ ବାନ୍ଧିରଖିବା ?

 

ଏହି ଭୂତାତୀତ ଅବସ୍ଥାର ସନ୍ଧାନୀ ହେଲା ସୁହାସନୀର ମନ ।

 

ସ୍ଵାମୀ ଆନନ୍ଦଙ୍କ ନିଦ ଭାଙ୍ଗିଗଲା ପରା ! ନା, ସେ କଡ଼ ଲେଉଟାଇ ପୁଣି ଶୋଇଲେ । କବିଙ୍କ ଛାୟା କ୍ରମେ ମିଳେଇଗଲା । ସୁହାସିନୀର ମଧ୍ୟ ଯେପରି ଆଲୋକ ପଡ଼ିଲେ ଛାଇ କ୍ରମେ ଅପସରିଯାଏ ।

 

(୫)

 

ରାତ୍ରୀର ଶେଷ ପ୍ରହର । ଚାରିଆଡ଼େ ଘନ ଅନ୍ଧାର । ଆନନ୍ଦ କଡ଼ ଲେଉଟାଇ ଶୋଇବାର କିଛି ସମୟ ପରେ ସ୍ଵପ୍ନରେ ଦେଖିଲେ ଯେ ଏକ ଶ୍ଵେତବସନା ନାରୀ ତାଙ୍କର ଦକ୍ଷିଣ ପାଖରେ ଛିଡ଼ାହୋଇ ତାଙ୍କୁ ଚାହିଁଛି । ଆନନ୍ଦ ହୁଏତ କିଛିସମୟ ପାଇଁ ନାରୀଙ୍କୁ ଦେଖି ନ ଥିଲେ ।

 

ନାରୀ କେତେବେଳୁ ଆସି ସେଠାରେ ଛିଡ଼ାହେଲୋଣି, ଆନନ୍ଦ କହିପାରିବେ ନାହିଁ । ବୋଧହୁଏ ବେଶୀ ସମୟ ନୁହେଁ; କାରଣ ସୁହାସିନୀ ଯିବା ଓ ନାରୀ ଆସିବା ମଧ୍ୟରେ ବ୍ୟବଧାନ ବେଶୀ ହେବ ନାହିଁ ବୋଧହୁଏ । ଆନନ୍ଦ ଯେ ନାରୀଙ୍କ ଦୃଷ୍ଟି ଏଡ଼ାଇବାକୁ ପ୍ରଥମରୁ ଚାହୁଥିଲେ, ଏହା ତାଙ୍କ ଭାବଭଙ୍ଗୀରୁ ବେଶ୍ ଜଣାପଡ଼ୁଥିଲା । ମାତ୍ର ନାରୀଟି ଏକ ନିରୀହା ବାଳିକା ଭଳି ନତମୁଖ ହୋଇ ଆନନ୍ଦଙ୍କ ଆଡ଼କୁ ଚାହିଁ ରହିଥିଲେ । ନାରୀଙ୍କ ରୂପରେ କୌଣସି ବିଶେଷତ୍ଵ ନ ଥିଲା; ମାତ୍ର ସେ ରାତ୍ରୀର ଘନ ଅନ୍ଧାର ମଧ୍ୟରେ ଯେପରି ଦାଉ ଦାଉ ହୋଇ ଆପେ ଜଳୁଥିଲେ । ସେ ଯେ ଦୁନିଆର ଏକ ନିରୀହ ଜୀବ, ଏହା ତାଙ୍କ ମୁହଁରେ ସ୍ପଷ୍ଟ ଫୁଟି ଭାସୁତିଲା । ଦେହରେ ମାଂସ ପରିବର୍ତ୍ତରେ କେତେଖଣ୍ତି ହାଡ଼ ଏବଂ ନାରୀଟି ଦେଖିବାକୁ ସାବନା ବର୍ଣ୍ଣର । ମୁହଁରେ ସରଳତା, ସୌମ୍ୟ ବେଶ୍ ପରିସ୍ଫୁଟ । ରୂପ ଯାହାକୁ କହନ୍ତି, ତା’ର କୌଣସି ବର୍ଣ୍ଣନା ଦେବା ପାଇଁ ଏ ନାରୀଙ୍କର କିଛି ନ ଥିଲା । ଏ ରୂପସୀ ନ ଥିଲେ; ମାତ୍ର ମା’ ହେବାର ଗୌରବ ଏହାଙ୍କର ଥିଲା । ଏହାହିଁ ଏହାଙ୍କ ଭାଲରେ ଜୟଟୀକା ରୂପେ ଅଙ୍କିତ ହୋଇ ରହିଥିଲା ।

 

ଆନନ୍ଦନାରୀଙ୍କୁ ଦେଖି ପଚାରିଲେ—ତମେ କୁଆଡ଼େ ? ଆନନ୍ଦ ଏହାଙ୍କୁ ଚିହ୍ନି, ସାରିଥିଲେ । ଅପରାଜିତା ଥିଲେ ତାଙ୍କ ଗୃହୀ ଜୀବନର ବିବାହିତା ସ୍ତ୍ରୀ ଓ ତାଙ୍କ ପୁଅଝିଅଙ୍କ ମା ।

 

ଅପରାଜିତା ରହି ରହି ଉତ୍ତର ଦେଲେ— ନା, କୁଆଡ଼େ ନୁହେ । ମୁଁ ଆସିଥିଲି ମୋର ମୃତ କନ୍ୟାର ସନ୍ଧାନ ଉଦ୍ଦେଶ୍ୟରେ । ହଠାତ୍ ଏଠି ଯେ ତୁମକୁ ଶୋଇଥିବାର ଦେଖିଲି ।

 

ବଡ଼ ଆଚମ୍ଵିତ କଥା, କେଉଁ କନ୍ୟା ତୁମର ମରିଗଲା ? ପୁଣି ଏଠାରେ ମୃତ କନ୍ୟା କେଉଁଠୁ ଆସିବ ?

 

ହଁ, ସେହି ଛୋଟ ଝିଅଟି, ଯାହାକୁ ତୁମେ ତୁମର କନ୍ୟା ହୋଇ ମଧ୍ୟ ସମାନ ଶ୍ରଦ୍ଧା ଓ ବାତ୍ସଲ୍ୟ ଅମୃତରେ ସିକ୍ତ କରିପାରି ନ ଥିଲ । ସେ ଯେ ମରିଗଲା; ତଥାପି ମୋ ମା’ ମନ ତାକୁ ଖୋଜୁଛି । ଏ ଶଶ୍ମାନଭୂଇଁକୁ ଆସିଥିଲି କାଳେ ତାକୁ ଭେଟିବି ବୋଲି ।

 

ଶ୍ମଶାନଭୂଇଁ ? ଏ ତେବେ ଶ୍ମଶାନ !

 

ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଶ୍ମଶାନର ଏକ ସ୍ଵତନ୍ତ୍ର ମାର୍କା ନ ଥାଏ । ଯେ କୌଣସି ଭୂଇଁ ମଧ୍ୟ ସେହି ଶୁଭ ଭୂଇଁ ହେବା ଗୌରବ ପାଇପାରେ, ଯେପରି ପ୍ରତ୍ୟେକ ଘରେ ମୃତ୍ୟୁର ଅମୃତ ଭେରୀ ବାଜେ ଆମକୁ ଜାଗ୍ରତ କରିବା ପାଇଁ ହଁ, ଜାଗ୍ରତ କରିବା ପାଇଁ । ମଣିଷ ବଡ଼ ଶୟନପ୍ରିୟ । ମଣିଷର ଗାଢ଼ ନିଦକୁ ଭାଙ୍ଗି ବା ପାଇଁ ମୃତ୍ୟୁ ଏକ ଜାଗରଣ ମନ୍ତ୍ର ଶୁଣାଏ ।

 

ବଡ଼ ବିଚିତ୍ର ଏ ବାର୍ତ୍ତା ତମର ଅପରାଜିତା ! ତମେ ତ ମୋର ସମସ୍ତ ଚିନ୍ତାକୁ ଓଲଟ ପାଲଟ କରିଦେଲ ! ବିଷ ଔଷଧ ମଣିଷ ଖାଏ ରୋଗର ବିଷଗୁଣ ନଷ୍ଟ କରିବା ପାଇଁ । ମଣିଷ ମରଣ ଭଳି ନିଦ୍ରାର ସ୍ମରଣ କରିବା ଦରକାର ନିଜର ଆଳସ୍ୟ, ନିଦ୍ରାଳୁ ସ୍ଵଭାବ ଛାଡ଼ିବା ସକାଶେ ତମ ମନ ମଲା ଝିଅର ସନ୍ଧାନରେ କାହିଁକି ଆସିଚି ?

 

ଏ ବି ଏକ ମୋହ, ହୁଏତ ମୋ ମନକୁ ମୁଁ ଏହା ବୁଝାଇ ପାରି ନାହିଁ । ମୋର ମା ହେବା ମନ ସେହି ମାତୃତ୍ଵ ସୁଖରେ ଶୋଇରହିଛି । ସେ ଆଉ ଉପରକୁ ଉଠିପାରି ନାହିଁ । ତମେ ଘରୁ ଆସିଲା ପରେ ପୁଅ ଝିଅଙ୍କ ସ୍ନେହଶ୍ରଦ୍ଧାକୁ ଜୀବନର ଏକମାତ୍ର ଅବଲମ୍ଵନ ରୂପେ ଧରି ରହିଛି-। ତହିଁରେ ଯେତେବେଳେ କୌଣସି ବାଧା ପଡ଼ିଛି, ସେତେବେଳେ ସେହି ପ୍ରତିବନ୍ଧକକୁ ଭାଙ୍ଗିବାକୁ ମୁଁ ବ୍ୟଗ୍ର ଓ ବ୍ୟସ୍ତ ହୋଇ ପଡ଼ିଛି । ଏହା ମା ସପକ୍ଷରେ ଏକ ସ୍ଵାଭାବିକ ଘଟଣା, ଆଉ…….

 

ରହିଗଲ ଯେ…ହୁଏତ ମୋ ବିଷୟରେ ତମେ କିଛି ଭାବୁଛ । ନ ଭାବିବା ଉଚିତ । ମୁଁ ମୋର କର୍ତ୍ତବ୍ୟ ପାଳନ କରିଛି । ହଁ, କରିଛି । ଏହି ‘କର୍ତ୍ତବ୍ୟ’ ଶଦ୍ଦଟା ମୋର ସମସ୍ତ କୋମଳତାକୁ ମନରୁ କୋରି ନଷ୍ଟ କରିଦେଇଛି । ଦୁନିଆ ଯଦି କେବଳ କର୍ମଦର୍ଶନର କର୍ତ୍ତବ୍ୟ-ଅକର୍ତ୍ତବ୍ୟ ଉପରେ ତିଷ୍ଠିବ ତେବେ ବହୁ କବିତା ସ୍ପନ୍ଦନ ମଣିଷ ହରାଇବ । ହୁଏତ ଭଗବାନ ମଧ୍ୟ ଉତ୍ତପ୍ତ ବାଷ୍ପ ଭଳି ଉଡ଼ିଯିବେ…..ଏହାଦ୍ଵାରା ମଣିଷର ଲାଭ ହେବ ନା କ୍ଷତି ?

 

ଲାଭ କ୍ଷତି ଦିଗରୁ ମୁଁ କଥାଟା ବିଚାରି ନାହିଁ; ମାତ୍ର ସାଧାରଣ ମଣିଷ ଏହି କର୍ମଦର୍ଶନ ପାଳି ତା ଜୀବନ ଚଳାଇ ପାରିବ ତ ? ସାଧାରଣ ମଣିଷ ? ଭାବ ଦେଖି ଯେ ସ୍ପନ୍ଦନର ପିତୁଳା…ଯେ ସୁଖ ଦୁଃଖରେ ମଧ୍ୟ ଏକ ସାଥୀ ଖୋଜେ, ସେ ଯେତେ ମାୟା ଓ ମରୀଚିକାପୂର୍ଣ୍ଣ ହେଉ ପଛକେ…

 

ହଁ, ମଣିଷ ଚିତ୍ତର ଏହି ଦୁର୍ବଳତା ଉପରେ ତ ଭଗବାନ ରାଜୁତି କରୁଛନ୍ତି !

 

କରିବେ ନାହିଁ କ’ଣ ଆଉ ?

 

କହିହେବ ନାହିଁ ।

 

ସେଥିରୁ ମୋତେ ବିଶେଷ କ’ଣ ମିଳିବ, ତମେ କ’ଣ ଗାଁକୁ ଫେରିବ ନାହିଁ ?

 

ଗାଁ ! ଆନନ୍ଦ ଟିକିଏ ଚମକି ପଡ଼ିଲେ । ତାଙ୍କ ମନରେ କିଛି ଦୁର୍ବଳତା ଦେଖାଗଲା ବୋଧହୁଏ । ସେ ନୀରବରେ ଭାବିବାକୁ ଲାଗିଲେ— ଏହି ନାରୀ ଅପରାଜିତା । ସେ ହେଲା ଏକାବେଳକେ ଅପରିଚିତା । କେଉଁ ସୁଦୂର ଗାଁ ବଣରେ ସେ ଲାଳିତା ପାଳିତା ହୋଇଥିଲା, ଶିଷିତା ହୋଇଥିଲା । ଦିନକର ସଞ୍ଜରେ ମୁହୂର୍ତ୍ତକ ପାଇଁ ଦେଖା ଗୋଟିଏ ସଙ୍ଗୀତ । ବେଶ୍ ଏତିକି । ବିବାହ ସ୍ଥିର ହୋଇଗଲା । କେହି କାହାକୁ ଜାଣି ନାହିଁ, କେହି କାହାର ମନ ବୁଝି ନାହିଁ; ମାତ୍ର ସମାଜ ସ୍ଥିର କରିନେଲା ଶୁଭ ବିବାହ ଏବଂ ଏହାରି ମଧ୍ୟରେ ସମସ୍ତେ ଆଶ୍ଵସ୍ତ ହେଲେ । ଏ ଏକପ୍ରକାର ବିବାହ-। କନ୍ୟା ଏକ ବୋଝ । ତାକୁ ଯେତେ ଶୀଘ୍ର ଉଠାଇ ଦିଆଯାଏ, ସେତେ ଶୀଘ୍ର ସମାଜର ମଙ୍ଗଳ-। “ଦେଲା ନାରୀ ହେଲା ପାରି” ଏବଂ ଏହି ବିବାହ ପରେ ଅପରାଜିତା ଛାଇ ଭଳି ସ୍ଵାମୀର ଅନୁସରଣ କରିଛି, ଅକୁଣ୍ଠିତ ଚିତ୍ତରେ ତା’ର ଦେହ ଯୌବନ ଦେଇଛି, ପୁତ୍ର କନ୍ୟାର ମା ହୋଇଛି-। ସେ କ’ଣ ପ୍ରେମ କରି ନାହିଁ ? ଏହା କ’ଣ ପ୍ରେମ ନୁହେଁ ? ସ୍ଵାମୀ କ’ଣ ଅପରାଜିତାଙ୍କଠାରୁ ପ୍ରେମ ପାଇ ନାହାନ୍ତି ? ଆନନ୍ଦଙ୍କ ରୂପ ଓ ପ୍ରେମ-ପିପାସୁ ମନ କ’ଣ ଅପରାଜିତାଙ୍କ ପ୍ରାଣରେ ତା ପିପାସା ମେଣ୍ଟାଇପାରି ନାହିଁ ? ବହୁ ପ୍ରଶ୍ନ ଆନନ୍ଦ ଚିନ୍ତା କରିବାକୁ ଲାଗିଲେ । ପ୍ରେମ କ’ଣ ? ଏହି ସ୍ପନ୍ଦନର ସ୍ଵରୂପ କ’ଣ ?

 

ଅପରାଜିତା ବ୍ୟଗ୍ରହୋଇ ପଚାରିଲା— ମୋତେ ଦେଖି ପୁଣି କ’ଣ ଭାବୁଛ ? ମୁଁ କ’ଣ ତମ ସାଧନାର ପ୍ରତିବନ୍ଧକ ନ ହୋଇ ବଂଧୁ ହୋଇପାରି ନ ଥାନ୍ତି ? ପିଲାଙ୍କୁ ଛାଡ଼ିଆସିଲ କିଆଁ ?

 

ତୁମ ସଙ୍ଗରେ କ’ଣ ପୁଣି ଗଲା କଥା ଘେନି ତର୍କ କରିବାକୁ ପଡ଼ିବ ? ମୁଁ ତ ବହୁଦୂର ଆସିସାରିଛି । ବଡ଼ ପୁଅ କ’ଣ କରୁଛି ?

 

ସେ ପାଠପଢ଼ା ଶେଷ କରି ବ୍ୟବସାୟ ଖୋଲିବାକୁ ଆରମ୍ଭ କରିଛି ।

 

ଝିଅ ?

 

ସେ ବିଭା ହୋଇଥିବା ଖବର ତ ପାଇଥିବ, ସେ ବର୍ତ୍ତମାନ ଗୋଟିଏ ପୁଅର ମା ।

 

ଆନନ୍ଦ ପୁଣି ଚିନ୍ତାମଗ୍ନ ଦେଖାଗଲେ, ଅନ୍ୟ ପୁଅ ଝିଅଙ୍କ ସଂବାଦ ହୁଏତ ସେ ଅନୁମାନ କରିପାରିଲେ ।

 

ଏହି ତ ଜୀବନ, ଜନ୍ମମୃତ୍ୟୁ ମଧ୍ୟରେ ନାନା କର୍ମବଂଧନରେ ନିଜକୁ ହଜାଇଦେବା ହିଁ ମଣିଷ-ଜୀବନ । ଏହାରି ଉପରେ ସମାଜ,ସଭ୍ୟତା ଓ ସଂସ୍କୃତିର ଭିତ୍ତି ଗଢ଼ାଯିବ । ତାଆସ ଖେଳରେ ଖେଳାଳୀର ସ୍ଵାଧୀନତା ଭଳି ମଣିଷର କର୍ମ କରିବାକୁ ଏ ସ୍ଵାଧୀନତା । ଏଥିରୁ ଯଦି କେହି ମୁକ୍ତି ପାଇବାକୁ ଇଚ୍ଛୁକ ହୁଏ, ତେବେ ତା ପ୍ରତି ସମାଜର ଏତେ ବିତୃଷ୍ଣା କିଆଁ ?

 

ନାଁ, ବିତୃଷ୍ଣା ନାହିଁ । ସମାଜ ସନ୍ନ୍ୟାସୀଙ୍କୁ ସବୁ ଯୁଗରେ ଶ୍ରେଷ୍ଠତମ ସମ୍ମାନ ଦେଇଆସିଛି-

 

ଆଉ ନାରୀ ?

 

ଭକ୍ତି ଓ ଶ୍ରଦ୍ଧାରେ ପୂଜା କରିଛି, ନମସ୍ୟ ଭାବି ତାଙ୍କ ପାଦତଳେ ମସ୍ତକ ନୁଆଁଇଛି । ପ୍ରେମାସ୍ପଦ ହେବା ଓ ଭକ୍ତି-ଅର୍ଘ୍ୟ ପାଇବା ଏହି ଦୁଇ ଅବସ୍ଥା ମଧ୍ୟରେ ମଣିଷ ତାହାର ପ୍ରବୃତ୍ତି ଅନୁସାରେ ଏକ ଅବସ୍ଥା ବରଣ କରି ନେଇପାରେ । ତେବେ ତୁମେ ସୌଭାଗ୍ୟବତୀ ଭଳି ମତେ ଦୋଷୀ କରୁ ନାହଁ ?

 

ମୋର ସେହିଟା କରିବା ଅନ୍ୟାୟ ହେବ ।

 

ସୌଭାଗ୍ୟବତୀ ଓ ଅପରାଜିତା ଦୁଇ ନାରୀ, ଦୁହିଁଙ୍କ ଦୃଷ୍ଟିକୋଣ ମଧ୍ୟରେ କି ଫରକ୍ ? ଆନନ୍ଦ ଚିନ୍ତା କରିବାକୁ ଲାଗିଲେ । ଆନନ୍ଦ ନିଜ ଦେହ ଅବସ୍ଥାରେ ଏକ ପରିବର୍ତ୍ତନ ଅନୁଭବ କଲେ-। ସେ ଉଠି ବସିଲେ ଓ ଠିଆହେଲେ ଏବଂ କହିଲେ, “ଅପରାଜିତା ! ଆସ । ଦୀର୍ଘ ଅତୀତ ପରେ ଆମେ ଥରେ ସେହି ଦାମ୍ପତ୍ୟ-ଜୀବନର ମଧୁକୁଞ୍ଜରେ ବୁଲିଆସିବା ।’’ ଦୁଇଟି ପକ୍ଷୀ ଗଛ ଶାଖାରୁ ଫଡ଼ ଫଡ଼ ହୋଇ ଉଡ଼ିଗଲେ ।

 

ଏକ ରେଲଗାଡ଼ିର କୋଠରୀ, ବେଞ୍ଚରେ ଅପରାଜିତା ଓ ଜଣେ ଯୁବକ । ସେତେବେଳେ ଆନନ୍ଦଙ୍କ ନାଁ ଆନନ୍ଦ ନ ଥିଲା । ଗାଡ଼ି ଚାଲିଚି । ଚିଲିକାର ନୀଳ ବକ୍ଷ ଉପରେ ଚନ୍ଦ୍ରିକାର ଢେଉ । ଅପରାଜିତାଙ୍କ ପାଖକୁ ଲାଗିଆସି ଯୁବକ କହିଲେ— ଅପରାଜିତା ହୋଇଥିଲା ପ୍ରଥମ ଗର୍ଭବତୀ । ପଡ଼ୋଶୀ ଗୃହିଣୀର ସେଥିପାଇଁ କେତେ ଯତ୍ନ…କେତେ ଅନୁରାଗ, ଦରଦ ! ଏହି ମାଟିକୁ ସ୍ପର୍ଶ କରିଛି ସ୍ନେହ, ଶ୍ରଦ୍ଧା ଓ ପ୍ରେମ । ଅପରର ସୁଖ ଦୁଃଖରେ ସମଦୁଃଖୀ ହେବା ହିଁ ପ୍ରେମ । ନିଜକୁ ଅନ୍ୟର ପ୍ରାଣରେ ହଜାଇଦେବା ହିଁ ହେଉଛି ବଞ୍ଚିବାର ଶ୍ରେଷ୍ଠ କୌଶଳ, ଯାହାର ଅନ୍ୟ ନାମ ପ୍ରେମ ।

 

ପ୍ରଥମ ଶିଶୁ ରୋଗାକ୍ରାନ୍ତ । ପିତାର ହୃଦୟ କିପରି ଅସ୍ତ ବ୍ୟସ୍ତ ହେଲା । ସହରରେ ବନ୍ଧୁ ଗଣ କହିଲେ ଆଉ ଆଶା ନାହିଁ । ସେ ସହରର ସମସ୍ତ କର୍ତ୍ତବ୍ୟ ଛାଡ଼ି ଛୁଟିଲା ଘର ଅଭିମୁଖରେ । ରାସ୍ତା ଆରମ୍ଭ ନ ହେଉଣୁ ଆସିଲା ସନ୍ଧ୍ୟା; ତଥାପି ବାପର ହୃଦୟ ଅନ୍ଧାର, ଦୀର୍ଘ ବାଟ କିମ୍ଵା ସାଥିଶୂନ୍ୟ ରାତିକୁ ଖାତିର କରି ନ ଥିଲା । ଯେଉଁଠି ଯେ ସାହାଯ୍ୟ ମିଳିଲା, ସେ ତାହା ଘେନି ସୂର୍ଯ୍ୟ ଉଦୟ ପୂର୍ବରୁ ଶିଶୁ ପୁତ୍ରର ରୋଗଶଯ୍ୟା ନିକଟରେ ଉପସ୍ଥିତ ହୋଇଥିଲା ।

 

“ମନେପଡ଼ୁଛି ?’’ ଆନନ୍ଦ ପଚାରିଲେ ।

 

ଅପରାଜିତା କେବଳ ନୀରବ ରହିଲା । ଅପରାଜିତା ଜାଣେ ନାହିଁ ଅଭିଯୋଗ, ଅଭିମାନ କିମ୍ଵା ଅଭିଯାନ, ସେ ଜାଣେ ସ୍ଵାମୀର ସମସ୍ତ ଆଦେଶ ଓ ଖିଆଲକୁ ମାନିନେବା ତାର କର୍ତ୍ତବ୍ୟ । କେବେ କଳହ ଲାଗି ନାହିଁ, କେବେ କିଛି ଦାବୀ କରି ନାହିଁ, କେବେ ତୁଣ୍ତ ହୁଡ଼ି କିଛି କହି ନାହିଁ । ଏ ହେଉଛି ଅପରାଜିତାର ଜୀବନ-କାହାଣୀ । ସେ କାମ କରିଛି, ଗୀତ ଗାଇଛି; ତାର ପିଲାପିଲି, ରୋଷାଇ, ପଢ଼ାପଢ଼ି, ଗୀତରେ ନିଜକୁ ଭୁଲିଯିବାକୁ ଚେଷ୍ଟା କରିଛି ଏବଂ ଅନ୍ୟ କାହାକୁ ଭୁଲାଇପାରିଛି କି ନା କହିହେବ ନାହିଁ । ଆଉ ଅପରାଜିତା ସେଥିରେ ସନ୍ତୁଷ୍ଟ ଥିଲା କି ନା, ସେଖବର ମଧ୍ୟ ଆନନ୍ଦଙ୍କ ରଖିବାର ଦରକାର କରୁ ନ ଥିଲା । ଶାନ୍ତି, ଶୌଚ, ନୀତି ଏବଂ କର୍ମଧାରରେ ତା’ର ଦିନ ଅତିବାହିତ ହେଇଥିଲା ।

 

ଅପରାଜିତା ପଚାରିଲା— ମୋ ଭଳି ନିରୀହ । ନାରୀକୁ ଛାଡ଼ି ତୁମେ ସନ୍ନ୍ୟାସୀ ହେବାକୁ ମନ ବଳାଇଲ କାହିଁକି ?

 

ଆନନ୍ଦ ହସିଲେ ।

 

ମଣିଷ ଭଲ ମନ୍ଦର ଉପରକୁ ଯିବାକୁ ଚେଷ୍ଟା କରେ । ମନ୍ଦଟା ଯେ କେବଳ ଛାଡ଼ିବାକୁ ହେବ ତାହା ନୁହେଁ, ଭଲକୁ ମଧ୍ୟ । କାରଣ ଉଭୟର ଫଳ କ୍ଷଣସ୍ଥାୟୀ ।

 

ଆଉ ଭଲ ମନ୍ଦ ଅତୀତ ଅବସ୍ଥାରେ ମଣିଷର କି ସୁଖ ? ଯେ ଅନୁଭବ କରିଚି, ସେ କେବଳ କହିପାରେ ।

 

ନା, ତୁମର ଏହି ଦାମ୍ପତ୍ୟ— ଜୀବନର ତୃପ୍ତି ମଧ୍ୟରେ କିଛି ଅତୃପ୍ତି ରହିଯାଇଥିଲା ନିଶ୍ଚୟ, ଯାହାକୁ ତୁମେ ଦର୍ଶନର କୁହୁକରେ ରହସ୍ୟମୟ କରିବାକୁ ଚାହେଁ ।

 

ତୃପ୍ତି ଓ ଅତୃପ୍ତି ଏହା ମନର ଖେଳ ।

 

କାହାର ସଙ୍ଗେ ଏହାର ସଂଯୋଗ ନାହିଁ ?

 

ହଁ ଅଛି; ମାତ୍ର ଅନୁଭୂତିଟା ମନରେ ବାହାର ଉପାଦାନ ଯୋଗାଇପାରେ, ମାତ୍ର ଉପଭୋଗ କରେ ମନ ।

 

ଆନନ୍ଦ ପୂର୍ବାବସ୍ଥାକୁ ଫେରି ଆସିଥିଲେ । ଅପରାଜିତା ପୁଣି ଗୋଟିଏ ପାଖକୁ ଛିଡ଼ାହୋଇ ଚାହିଁରହିଥିଲା ଆନନ୍ଦଙ୍କ ଆଡ଼କୁ । ଚାରିଆଡ଼ ଅନ୍ଧାର ଥିଲେ ମଧ୍ୟ ଆନନ୍ଦଙ୍କ ଶଯ୍ୟା ଚାରିପାଖ ଆଲୋକିତ ହୋଇଥିଲା ।

 

ମଣିଷ ବଞ୍ଚେ; କାରଣ ତାହାର ମନରେ କେତେକ ଆଶା ଆକାଂକ୍ଷା ଥାଏ । ଏହାକୁ ତୃଷ୍ଣା କୁହାଯାଏ । ଏହି ତୃଷ୍ଣା ମଣିଷକୁ ବାନ୍ଧିରଖେ, ଯେପରି ଚେର ଗଛକୁ ଠିଆକରି ରଖେ । ଏହି ଆଶା ଆକାଂକ୍ଷା ବା ତୃଷ୍ଣାକୁ ଗୋଟି ଗୋଟି କରି ଛିଡ଼ାଇ ଦେଇ ପାରିଲେ ମଣିଷ ହୁଏ ଜୀବନ୍ମୁକ୍ତ ।

 

ଜୀବନ୍ମୁକ୍ତ ହେବାର ଉଦ୍ଦେଶ୍ୟ ?

 

ଉଦ୍ଦେଶ୍ୟ ? ହଁ, ସ୍ଵାଧୀନତା ପାଇବାର ହେତୁ ?

 

ଆନନ୍ଦ ହସିଲେ । ବଡ଼ ଆଚମ୍ଵିତ ତୁମେ ଅପରାଜିତା

 

ନାଁ, ମୁଁ ଜାଣିବାକୁ ପଚାରୁଛି ।

 

ଆଚ୍ଛା, ଯେଉଁ ଦୀପଶିଖା ପବନଦ୍ଵାରା ଦୋଳାୟିତ, ତାହା ଭଲ ନା ଯାହା ସ୍ଥିର ?

 

ଉଭୟ ଭଲ ଓ ଉଭୟ ମନ୍ଦ ପ୍ରୟୋଜନ ଘେନି । ହଁ, ଯାହାର ନିର୍ବାତ ଦୀପଶିଖା ଭଳି ମନକୁ ଗଢ଼ିବାକୁ ଇଚ୍ଛା ନାହିଁ, ସେ ବା କାହିଁକି ଜୀବନ୍ମୁକ୍ତ ପରିକଳ୍ପନାର ଧାର ଧାରିବ ?

 

ସଂସାରର ରୂପ ରସକୁ ଇନ୍ଦ୍ରିୟାନୁଭୂତିଦ୍ଵାରା ଉପଭୋଗ କରି ମଣିଷ ହୋଇ ରହିବାରେ କି କ୍ଷତି ?

 

କ୍ଷତି ନାହିଁ । ମାତ୍ର ମଣିଷ ତାହା ସବୁବେଳେ ପାରିବ ନାହିଁ । ଆମ ଭିତରେ କିଛି ସୂକ୍ଷ୍ମ, ଅସୀମ ଅରୂପର ସତ୍ତା ଅଛି, ଯାହା ଏହି ସ୍ଥୂଳ ସଂସାରରେ ସବୁବେଳେ ସୁଖ ଆନନ୍ଦ ପାଇ ମଜ୍ଜି ରହିବାକୁ ନାରାଜ । ଏହିଠାରେ ସ୍ଥୂଳାତୀତ ଅବସ୍ଥା— ସୂକ୍ଷ୍ମର ବିଚାର ।

 

ଏ ବିଚାର ଘରେ ସମ୍ଭବ ନୁହେ ?

 

ଏହା ସମ୍ଭବ, ମାତ୍ର ସେତେବେଳେ ସେ ଘର ସାଧାରଣ ଘର ପରି ନୁହେ । ଗଛ ବଢ଼ି ପଶୁ ପକ୍ଷୀଙ୍କ ଦାଉରୁ ରକ୍ଷାପାଇବା ପୂର୍ବରୁ ବାଡ଼ ଦରକାର । ଏହି ବାଡ଼ ପାଇଁ ମଣିଷର ଏକ ଆଶ୍ରମ ଧର୍ମ ଛାଡ଼ି ଅନ୍ୟ ଆଶ୍ରମ ଧର୍ମ ପାଳିବା ବିଧି । ଗଛ ବଡ଼ ହୋଇଗଲେ ଆଉ ବାଡ଼ ଦରକାର ନାହିଁ ।

 

ଛୋଟ ଘର ପରିବାର ଛାଡ଼ି ଯେ ସେବାବିହାରରେ ବୃହତ୍ତର ଘର ଓ ପରିବାର ସୃଷ୍ଟି କରିଛ ?

 

ଛୋଟ ଘରେ ଯେଉଁ କ୍ଷୁଦ ସ୍ଵାର୍ଥ ବଡ଼ ଘରେ ତା ବୃହତ୍ତର ନିଃସ୍ଵାର୍ଥରେ ପରିଣତ ହୁଏ ।

 

ସ୍ଵାର୍ଥ କ’ଣ ନିସ୍ଵାର୍ଥ ବନ୍ଧନ ନୁହେଁ ?

 

କର୍ମ ଛାଡ଼ି ସଂସାରରେ ରହିବା କିପରି ? କର୍ମ ବନ୍ଧନ ନୁହେ, ଫଳ ଆଶା ହିଁ ବନ୍ଧନ । ମରିଚିକା ରହିବାକୁ ବାଧ୍ୟ; ମାତ୍ର ଯେ ଜାଣେ, ତାହା ପାଖରେ ମରୀଚିକା କେବଳ ମରୀଚିକା—ଅନ୍ୟ ଦୃଷ୍ଟିରେ ତାହା ଜଳ ଭ୍ରମ ସୃଷ୍ଟି କରେ ।

 

ଏହା କ’ଣ ଘରେ ଗୃହୀ ସାଧନ କରି ନ ପାରେ ?

 

ଇଚ୍ଛା ଥିଲେ ତୁମେ ମୋ ସେବାବିହାରରେ ଆଶ୍ରମବାସିନୀ ହୋଇପାର ।

 

ପ୍ରେମାସ୍ପଦର ପ୍ରିୟ କାର୍ଯ୍ୟ ମଧ୍ୟରେ ପ୍ରେମିକା ନିଜକୁ ନିଃସ୍ଵାର୍ଥ ଭାବରେ ହଜାଇ ଦେଇ ପାଏ ତା’ର ପ୍ରିୟତମ ପୁରୁଷର ସଙ୍ଗସୁଖ; ସ୍ମୃତି କେବଳ ନୁହେଁ, ପରିପୂର୍ଣ୍ଣ ଆନନ୍ଦ ମଧ୍ୟ ।

 

ଅପରାଜିତା ଭକ୍ତିରେ ଶିର ନୁଆଁଇଲା । ଆନନ୍ଦ କଥା କହୁ କହୁ ଧ୍ୟାନ ମଗ୍ନ ହେଲେ । ଜୀବନର ସକଳ ଗ୍ରନ୍ଥି ଯେ ଛେଦନ କରି ଦେଇପାରେ, ସେହି ହୁଏ ‘ଜୀନ’ ବା ‘ନିଗ୍ରନ୍ଥ’ । ତାହାର ନିର୍ମାଣ ପ୍ରାପ୍ୟ । ଏହି ରୂପରସଭରା ବସୁନ୍ଧରା ସୁନ୍ଦର, ଉପଭୋଗ୍ୟ; ମାତ୍ର ଏହା ତ ସୀମାବଦ୍ଧ, ଏହା ତ ପରିବର୍ତ୍ତନ, କ୍ଷୟ ଓ ମୃତ୍ୟୁ ଅଧୀନ ! ମନୁଷ୍ୟ ମୃତ୍ୟୁ-କ୍ଷୟ-ଜରା-ବ୍ୟାଧି ମଧ୍ୟରେ ଅମୃତର ସଂଧାନୀ ହୋଇଛି । ଏହି ଅମୃତର ଯାତ୍ରା ମଣିଷ-ଅତ୍ମା-ଇତିହାସର ସବୁଠାରୁ ଅଭିନବ ଅଭିଯାନ-

 

ଅପରାଜିତା ଉଭେଇଗଲେ । ଆନନ୍ଦ ଉଠି ବସିଲେ । ତାଙ୍କ ମୁଖମଣ୍ତଳରେ ଶାନ୍ତି ଓ ସନ୍ତୋଷର ଛାୟା ପୁଣି ଖେଳିବୁଲିଲା । ସେ ଧାନମଗ୍ନ ! ବହୁ ଲୋକ ଜାଗ୍ରତରେ ଶୁଅନ୍ତି; କିନ୍ତୁ ଯୋଗୀ ଶୋଇଲା ମଧ୍ୟରେ ଜାଗ୍ରତ ଥାଏ । ଅପରିଷ୍କାର ଦର୍ପଣରେ ପ୍ରତିଚ୍ଛବି ଭଲ ଦେଖାଯାଏ ନାହିଁ; ମାତ୍ର ଦର୍ପଣ ପରିଷ୍କାର ହେଲେ ପ୍ରତିଚ୍ଛବି ଉଜ୍ଵଳ ଓ ଚମତ୍କାର ଦେଖାଯାଏ ।

 

ମଣିଷ ମନ ସେମିତି ଏକ ଦର୍ପଣ । ଏହାର ସଂସ୍କାର ଓ ଉନ୍ନତି ଦରକାର । ଆନନ୍ଦ ଏହା ଅପରାଜିତାକୁ କହିଲେ । ବୋଧହୁଏ ଅପରାଜିତା ଶୁଣିଛି କି ନା, କହିହେବ ନାହିଁ ।

 

(୬)

 

ଉଷାର ଆଗମନ ପ୍ରାଚୀ ଆକାଶରେ ସ୍ପଷ୍ଟ । ଆଲୋକର ବାଣୀ ଗଭୀର । ଅନ୍ଧ ବିଶ୍ଵାସ କରୁ ବା ନ କରୁ, ଆଲୋକ ଉଷା ସଙ୍ଗେ ଆସେ । ସ୍ଵାମୀ ଆନନ୍ଦ ନିଦରୁ ଉଠି ଆଖି ମଳି ପଦ୍ମାସନରେ ବସିଲେ । କାଲି ରାତିରେ, ଏକ ଶ୍ମଶାନ ମଧ୍ୟସ୍ଥ ଗଛମୂଳେ ସେ ଶୋଇଥିଲେ । ଝଡ଼ବେଳେ ସ୍ଵାମୀ ଆନନ୍ଦ ଯେଉଁ ଗଛମୂଳେ ଶୋଇଥିଲେ, ସେହି ଗଛରୁ ବଡ଼ ଡାଳ କେତେ ଖଣ୍ତ ଭାଙ୍ଗି ତଳେ ପଡ଼ିଥିଲା । ଆନନ୍ଦ ଏ ଦୃଶ୍ୟ ଦେଖୁ ଦେଖୁ ରୁଦ୍ଧି ପଦ ଧ୍ୟାନ ଆରମ୍ଭ କରିଦେଲେ । ରୁଦ୍ଧି ପଦର ପ୍ରଥମ ‘ଦୁଃଖ’ ଧ୍ୟାନ ତାଙ୍କୁ ସେତେ ସୁଖ ଲାଗିଲା ନାହିଁ । ମାତ୍ର ‘ଦୟା,’ ‘ଆନନ୍ଦ’ ଓ ‘ଶାନ୍ତି’ ସୋପାନରେ ଆନନ୍ଦ ବହୁକ୍ଷଣ ମଜ୍ଜି ରହିଲେ । ଧ୍ୟାନ ଶେଷରେ ଶ୍ମଶାନକୁ ଆସି ଆନନ୍ଦ ଦେଖିଲେ ଏକ ଶରୀର ନାବ କୋକେଇରେ ଥୁଆ ହୋଇଛି । ଗତ କାଲି ଝଡ଼ବେଳେ ଯେଉଁମାନେ ଶବ ସତ୍କାର କରିବାକୁ ଆସିଥିଲେ, ଝଡ଼ ଦେଖି ସେମାନେ ଛାଡ଼ି ଚାଲି ଯାଇଛନ୍ତି । ଶବର ମୁହଁ ଦେଖି ଆନନ୍ଦ ଜାଣିପାରିଲେ, ଶବ ସୁହାସିନୀର । ବସନ୍ତର ଚିହ୍ନ ତା ସୁନ୍ଦର ମୁଖମଣ୍ତଳକୁ ବିକୃତ କରିଥିଲା । ଚକ୍ଷୁ ଦୁଇଟି ମୁଦ୍ରିତ । ଆଶ୍ଚର୍ଯ୍ୟର କଥା, ଏତେ ବଡ଼ ରାତିରେ ଶିଆଳ କୁକୁର ଶବର କୌଣସି ଅନିଷ୍ଟ କରି ନ ଥିଲେ । ତା’ର କାରଣ ହୁଏତ ଆନନ୍ଦ । ଆନନ୍ଦ ଭାବିଲେ, ସେ ଶ୍ମଶାନରୁ ଚାଲିଯିବେ ବା ଶବର ସତ୍କାର ପାଇଁ କିଛି ବନ୍ଦୋବସ୍ତ କରିବେ । ବହୁ ସମୟ ସେ ଅପେକ୍ଷା କଲେ; ମତ୍ର କାହାର ଆସିବାର ଚିହ୍ନି ଦେଖାଗଲା ନାହିଁ । ଯେଉଁ ମଲା ମଣିଷକୁ ଲୋକେ ଛାଡ଼ିଯାଆନ୍ତି, ତା ପାଖରେ କିଏ କାହିଁକି ଫେରିଆସିବ ? ଆନନ୍ଦ ପାଖ ମନ୍ଦିରରୁ ଗୋଟିଏ ଫାଉଡ଼ା ଯୋଗାଡ଼ କରି ସୁହାସିନୀର ସମାଧିକାର୍ଯ୍ୟ ଶେଷ କଲେ । ଏ ଏକପ୍ରକାର ସେବା । ଯାହା ମାଟି, ପାଣି, ପବନରେ ମିଶିବା କଥା, ତାହା ଆଉ କେତେ କାଳ ରହନ୍ତା ?

 

ସଂଧ୍ୟାର ଝଡ଼ ପରେ ଆକାଶ ଧରଣୀ ଶାନ୍ତ ହେଲା ଭଳି ଆନନ୍ଦଙ୍କ ମନ ଓ ପ୍ରାଣ ଶାନ୍ତ ହୋଇ ଯାଇଥିଲା । ହୃଦୟର ବହୁ ଦ୍ଵନ୍ଦ୍ଵ ଏବଂ ଭ୍ରମ ଦୂରୀଭୂତ ହୋଇଥିଲା । ତାହାଙ୍କ ମୁଖମଣ୍ତଳ ଏକ ଅପୂର୍ବ ଆଲୋକରେ ଉଦ୍‌ଭାସିତ ।

 

ଶ୍ମଶାନ, ଶବ, ସ୍ମୃତି ପଛରେ ପଡ଼ିରହିଲା… ।

 

ଆନନ୍ଦ ନଈରେ ସ୍ନାନ ସାରି ସହରାଭିମୁଖୀ ହେଲେ । ସହରର କର୍ମ-କୋଳାହଳ ପୁଣି ତାଙ୍କୁ ନୂଆ ଜୀବନର ଆବାହନ ଜଣାଇଲା ।

Image